ଭୁବନେଶ୍ବର: ରାଜଧାନୀରେ ସିଲ ହେଲା ଗେଷ୍ଟ ହାଉସ । ବିଭିନ୍ନ ହୋଟେଲ, ଗେଷ୍ଟ ହାଉସରେ ବିଏମସିର ରେଡ଼୍। କୋରୋନା ଗାଇଡ଼ଲାଇନ ନେଇ ସ୍ବତନ୍ତ୍ର ସ୍କ୍ବାର୍ଡର ଚଢ଼ାଉ। ମହାମାରୀ କୋରୋନା ଏସଓପି ଅବମାନନା କରି ସିଲ୍ ହେଲା ଗେଷ୍ଟ ହାଉସ୍ । ଭୁବନେଶ୍ବରରେ କୋରୋନା ସଂକ୍ରମଣ ରୋକିବାକୁ ବିଏମସି ପକ୍ଷରୁ ଜାରି ହୋଇଛି ଏସଓପି ।
ଏସଓପି ଆଧାରରେ ପ୍ରତ୍ୟେକ ହୋଟେଲ, ଗେଷ୍ଟ ହାଉସରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସମସ୍ତ ବିବରଣୀ ବିଏମସିକୁ ଦେବା ବାଧ୍ୟତାମୂଳକ । ହେଲେ ବୁଧବାର ଭୁବନେଶ୍ବର ଜୟଦେବ ବିହାର ସ୍ଥିତ ଏକ ଗେଷ୍ଟ ହାଉସ, ପ୍ଲଟ ନଂ -754/2 କୁ ରେଡ଼ କରି ଏସଓପିର ଅବମାନନା କରିଥିବା ଓ ଗେଷ୍ଟ ହାଉସରେ ଦିଲ୍ଲୀ ଏବଂ କାର୍ଣ୍ଣାଟକରୁ ଆସିଥିବା ପର୍ଯ୍ୟଟକଙ୍କ କୌଣସି ତଥ୍ୟ ଦେଇ ନଥିବାରୁ ବାଧ୍ୟ ହୋଇ ଏହାକୁ ସିଲ କରିଛି ବିଏମସି । ସେପଟେ ଜୟଦେବ ବିହାର ସ୍ଥିତ ଏକ ଘରୋଇ ଗେଷ୍ଟ ହାଉସର ମାଲିକଙ୍କ କହିବା କଥା ହେଲା ପ୍ଲଟ ନଂ -754/2 ରେ ତିନୋଟି ରୁମ ନେଇ ଗୋଟିଏ ଗେଷ୍ଟ ହାଉସ କରିଛି । ବିଭିନ୍ନ ସମୟରେ ଦିଲ୍ଲୀ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଆସି ଏଠାରେ ରହିଥିଲେ । ହେଲେ ସେମାନଙ୍କର କୌଣସି ତଥ୍ୟ ଆମ ପାଖରେ ନାହିଁ, ଯାହା ସମ୍ପୂର୍ଣ୍ଣ ରୂପେ ଭୁଲ ଏବଂ ବିଏମସି ଏସଓପି ଜାରି କଥା ଆମେ ଜାଣିନାହୁଁ ବୋଲି କହିଛନ୍ତି ଘରୋଇ ଗେଷ୍ଟ ହାଉସର ମାଲିକ।
ସେପଟେ ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲ୍ଲିକଙ୍କ ସୂଚନା ଅନୁସାରେ ଦୀର୍ଘ ଦିନ ଧରି ଏହି ପ୍ଲଟରେ ଗେଷ୍ଟ ହାଉସ ଚାଲିଛି । ବାହାର ରାଜ୍ୟରୁ ବିଭିନ୍ନ ସମୟରେ ପର୍ଯ୍ୟଟକ ଆସି ଏଠି ରହୁଛନ୍ତି ହେଲେ, କୋରୋନା ପାଇଁ ଦିଆଯାଇଥିବା ଏସଓପି, ଆଧାରରେ କୌଣସି ପର୍ଯ୍ୟଟକଙ୍କ ତଥ୍ୟ ନାହିଁ । ଯାହା ସମ୍ପୂର୍ଣ୍ଣ ରୂପେ ଏସଓପିର ଅବମାନନା, ନିୟମ ପାଳନ କରିନଥିବା ଅଭିଯୋଗରେ ଗେଷ୍ଟ ହାଉସକୁ ସିଲ୍ କରାଯାଇଛି ।
ତେବେ କୋରୋନା ଏସଓପି ଜାରି ହେଲା ପରେ ଭୁବନେଶ୍ବରରେ ବିଏମସି, ବିଡିଏ ଓ ପୋଲିସ ପ୍ରଶାସନ ପକ୍ଷରୁ ୩ ଟି ସ୍କ୍ବାର୍ଡ ମାଧ୍ୟମରେ ୩ ଟି ଯୋନରେ ସଚେତନ କାର୍ଯ୍ୟକ୍ରମ ଚାଲିବା ସହିତ ରେଡ଼ ମଧ୍ୟ କରାଯାଉଛି । ବୁଧବାର ନର୍ଥ ଜୋନ ଜେଡିସି ପ୍ରମୋଦ ପୃଷ୍ଟି ଏହି ରେଡ଼ରେ ସାମିଲ ହୋଇଥିଲେ । ନର୍ଥ ଜୋନରେ ବିଭିନ୍ନ ତାରକା ହୋଟେଲ ଓ ଗେଷ୍ଟ ହାଉସରେ ଏସଓପି ପାଳନ ତଦାରଖ ନେଇ ରେଡ଼ କରାଯାଇଥିଲା । ଏସଓପି ପାଳନ କରିବା ବାଧ୍ୟତାମୂଳକ ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଆଧାରରେ ସିଲ୍ କରାଯିବ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ