ଭୁବନେଶ୍ବର: ଭୁବନେଶ୍ବର ସରକାରୀ କାର୍ଯ୍ୟାଳୟରେ ପାନ ଛେପ ,ଗୁଟଖା ପକେଇଲେ ଦେବାକୁ ପଡିବ ୫୦୦ ଟଙ୍କା ଜୋରିମାନା। ଏନେଇ ବିଏମସି କତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋରୋନା ସତର୍କତା ନେଇ ଜନସାଧାରଣଙ୍କୁ ସମସ୍ତ ୱାର୍ଡରେ ସଚେତନ କରାଯାଉଛି।ବିଭିନ୍ନ ଜନଗହଳି ସ୍ଥାନରେ କରୋନା ସତର୍କତା ନେଇ ହୋର୍ଡିଙ୍ଗ ଲଗାଯାଉଛି। ପୋଷ୍ଟର ମାଧ୍ୟମରେ ସଚେତନ କରାଯାଉଛି। ଡାକ ବାଜି ଯନ୍ତ୍ର ଦ୍ବାରା ବିଭିନ୍ନ ଗଳିରେ ମଧ୍ୟ ସ୍ବଚ୍ଛ ପରିମଳ ପରିବେଶ ସହ କୋରୋନା ପାଇଁ ଆବଶ୍ୟକୀୟ ସଚେତନ ହେବାକୁ କୁହାଯାଉଛି। ସପିଙ୍ଗ ମଲରେ ଜନସାଧାରଣ ଏକାଠି ନ ରହିବାକୁ ପରାମର୍ଶ ଦିଆଯାଉଛି।
ଏନେଇ ସମସ୍ତ ଆହାର କେନ୍ଦ୍ର ଗୁଡିକରେ ଟିଭିରେ ଡିସପ୍ଲେ ବ୍ୟବସ୍ଥା ହୋଇଛି। ସାନିଟାଇଜର ଦ୍ବାରା ହାତ ସଫା ରଖିବା, ମାସ୍କ ବ୍ୟବହାର କରିବା, କୌଣସି ଗୋଟିଏ ସ୍ଥାନରେ ଦଳଗତ ହୋଇ ଉପସ୍ଥିତ ନରହିବା ,ଏପରିକି ବିଏମସି, ବିଡିଏ ଏବଂ ସ୍ମାର୍ଟସିଟି କାର୍ଯ୍ୟାଳୟ ସମ୍ମୁଖରେ ଗୋଟିଏ ବେସିନ ରହିବ ।
ସାଧାରଣରେ ଯିବା ଆସିବା କରୁଥିବା ଲୋକମାନେ ହାତ ସଫା କରିପାରିବେ। କୋରୋନା ନେଇ ସରକାରଙ୍କ ପକ୍ଷରୁ ଘନ ଘନ ବୈଠକ ବସୁଛି। ବିଏମସି ପକ୍ଷରୁ ୬୭ ଟି ୱାର୍ଡରେ ସଚେତନତା କରାଯାଉଛି । ଜନସାଧାରଣଙ୍କୁ ଗାଡିରେ ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯାଉଛି। କୌଣସି ଗୋଟିଏ ସ୍ଥାନରେ ବହୁ ସଂଖ୍ୟକ ଲୋକେ ସମାଗମ ହେବାକୁ ବାରଣ କରାଯାଇଛି ବୋଲି ଭୁବନେଶ୍ବର ମହାନଗର ନିଗମର ସାନିଟେସନ ଡେପୁଟି କମିଶନର ଶୁଭେନ୍ଦୁ ସାହୁ ସୂଚନା ଦେଇଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ