ଭୁବନେଶ୍ବର: ପୋଲିସ ପୋଷାକରେ ଦାଗ । ଥରେ ନୁହେଁ କି ଦୁଇ ଥର ନୁହେଁ, ତିନି ତିନି ଥର ଥାନାକୁ ଗଲେଣି ପୋଲିସ କନେଷ୍ଟବଳ । ପୂର୍ବରୁ ଚୋରି ଓ ହତ୍ୟା ମାମଲାରେ ସମ୍ପୃକ୍ତ କନେଷ୍ଟବଳ ଗିରଫ।ବର୍ତ୍ତମାନ ସେ ବ୍ରାଉନ ସୁଗାର କାରବାରରେ ସଂପୃକ୍ତ ଥିବା ଜଣାପଡିଛି ।
ସୂଚନା ଅନୁସାରେ, ଅଭିଯୁକ୍ତ କନେଷ୍ଟବଳ ଜାନକୀ ଭାରିମାଲ ଜଣେ ଅଭ୍ୟାସଗତ ଅପରାଧୀ । ୨୦୦୫ରେ ଜଣଙ୍କୁ ଅପହରଣ ମାମଲାରେ ଗିରଫ ହୋଇଥିଲା। ଏପରିକି ବାଇକ ଚୋରି ମାମଲାରେ ମଧ୍ୟ ଫସିଥିଲେ କନେଷ୍ଟବଳ। ଏବେ କିନ୍ତୁ ବ୍ରାଉନସୁଗାର ବିକ୍ରି କରୁଥିବା ନେଇ ପୁଣିଥରେ ଗିରଫ କରି କମିଶନରେଟ ପୋଲିସ କୋର୍ଟ ଚାଲାଣ କରିଛି।
ପୋଲିସର ଭୟ ଦେଖାଇ ଦୀର୍ଘ ଦିନ ଧରି ବେପାର କରିଆସୁଥିଲା କନେଷ୍ଟବଳ। ତେବେ ଅଚାନକ ରେଡ଼ କରିବା ବେଳେ ବୁଧବାର ରାତିରେ ନୟାପଲ୍ଲୀ ବେହେରା ସାହିରୁ ଗିରଫ କରିଛି ପୁଲିସ। ଅଭିଯୁକ୍ତ ନିକଟରୁ 10 ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଏକ ବାଇକ ମଧ୍ୟ ଜବତ କରାଯାଇଛି। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଭୁବନେଶ୍ବର ଡିସିପିଙ୍କୁ ଏହି ମାମଲାର ପ୍ରଶାସନିକ ତଦନ୍ତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଜେ ଭାରିମଲ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି।
୨୦୦୮ରେ ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ସାମିଲକୁ ନେଇ ପୋଲିସ ଗିରଫ କରିଥିବା ବେଳେ ସାକ୍ଷୀ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିଲା। ୨୦୧୬ ଠାରୁ ରାଜଧାନୀର ବିଭିନ୍ନ ସ୍ଥାନରେ ପୋଲିସର ଆଢୁଆଳରେ ଚାଲିଥିଲା ବ୍ରାଉନସୁଗାର ବେପାର । ପୋଲିସର ଭୟ ଦେଖାଇ ଖାତିର ନକରି ଲକ୍ଷଲକ୍ଷ ଟଙ୍କାର ବ୍ରାଉନ ସୁଗାର ବେପାର ଜମାଇଥିଲା କନେଷ୍ଟବଳ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ