ଭୁବନେଶ୍ବର: ସମ୍ବିଧାନ ଧାରା ୨୫୪(୨) ଅନୁଯାୟୀ କୃଷି ବିଲକୁ ସାରା ରାଜ୍ୟରେ କାର୍ଯ୍ୟକାରୀ ନ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ। ଏହି ଆନ୍ଦୋଳନକୁ ତୀବ୍ର କରିବ ରାଜ୍ୟ କଂଗ୍ରେସ।
ସୋମବାର କୃଷି ବିଲ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କମିଟି ଲୋକଦେଖାଣିଆ ଓ ଅମୂଳକ ବୋଲି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ବର ବେହେରା କହିଛନ୍ତି। ଯଦି ରାଜ୍ୟ ସରକାର ବାସ୍ତବରେ ଚାଷୀଙ୍କ ଦୁଃଖ ବୁଝିବାକୁ ଚାହୁଁଛନ୍ତି ତେବେ ଅକାଳୀ ଦଳ ଭଳି କିଛି ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ଉଭୟ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବା ଦରକାର ।
କୃଷି ଏକ ରାଜ୍ୟ ବିଷୟବସ୍ତୁ, ଯାହାକୁ ବିନା ଆଲୋଚନାରେ କେନ୍ଦ୍ର ସରକାର ଲାଗୁ କରିଛନ୍ତି। କଂଗ୍ରେସ କୃଷି ବିଲ ବିରୋଧରେ ଆଗକୁ ଆନ୍ଦୋଳନ ତୀବ୍ର କରିବ। ଆସନ୍ତା ୩ ତାରିଖରେ କଂଗ୍ରେସ ପକ୍ଷରୁ ପ୍ରତ୍ୟେକ ସଦର ମହକୁମାରେ ଆନ୍ଦୋଳନ କରାଯିବ। ଅକ୍ଟୋବର ୨ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ବିଲ ବିରୋଧରେ ରାଜ୍ୟବ୍ୟାପୀ ହସ୍ତାକ୍ଷର ସଂଗ୍ରହ ଅଭିଯାନ ଚାଲୁ ରଖିବ ଏବଂ ଅକ୍ଟୋବର ମାସରେ ରାଜ୍ୟସ୍ତରୀୟ କୃଷକ ସମାବେଶ କରିବ କଂଗ୍ରେସ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ