ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା ଗମ୍ଭୀର ହେବାରେ ଲାଗିଛି । ଘଟଣାରେ ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । ଏନେଇ ସରକାରଙ୍କୁ ଘେରିବ କଂଗ୍ରେସ । ବିଧାନସଭାରେ ଉଠାଯିବ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ।
ନରସିଂହ କହିଛନ୍ତି ଯେ, ''ବିଜେବି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ଘଟଣା ରାଜ୍ୟ ପୋଲିସର ଅପାରଗ ପଣିଆକୁ ପ୍ରମାଣିତ କରିଛି । ଯଦି ଏକ ଛୋଟ ଘଟଣାର ତଦନ୍ତ କରି କମିଶନରେଟ୍ ପୋଲିସ ଦୋଷୀକୁ ଧରିପାରୁନି, ତାହାଲେ ରାଜ୍ୟ ପୋଲିସ କେତେ ପାରଙ୍ଗମ ଏଥିରୁ ପ୍ରମାଣିତ ହେଉଛି । ଅଭିଯୁକ୍ତଙ୍କୁ ଧରିବା ଲାଗି ବିକ୍ଷୋଭ କରୁଥିବା ଝିଅର ମା'ଙ୍କ ପ୍ରତି ପୋଲିସ ବର୍ବରୋଚିତ ବ୍ୟବହାର କରିଛି । ଜଣେ ବୟସ୍କ ମହିଳାଙ୍କ ପ୍ରତି ଅମାନୁଷିକ ବ୍ୟବହାର କରିଛି ପୋଲିସ । କେଉଁ ଅଧିକାରରେ ମହିଳାଙ୍କୁ ପୋଲିସ ଜବରଦସ୍ତ ଉଠାଇଲା । ଟାଣି ଟାଣି ନେଇ ଗାଡ଼ିରେ ପୁରେଇଲା । ତାଙ୍କୁ ଅନୁରୋଧ କରିଥାନ୍ତେ କିମ୍ବା ବୁଝାଇ ପରିଥାନ୍ତେ । ବିଭିନ୍ନ ଉପାୟ ଅବଲମ୍ବନ କରିପାରିଥାନ୍ତେ । ଯଦି କିଛି ଆଇନ ଉଲଂଘନ କରିଛନ୍ତି ତେବେ ଆଇନର ବ୍ୟବସ୍ଥା ଅନୁଯାୟୀ ନୋଟିସ କରିଥାନ୍ତେ । ଯଦି ପୋଲିସ କହୁଛି, ତାଙ୍କୁ ଗିରଫ କରାଯାଇନି । ତେବେ ତାଙ୍କୁ ଉଠାଇ ନେବାର କଣ ଦରକାର ଥିଲା'' ବୋଲି ନରସିଂହ ପ୍ରଶ୍ନ କରିଛନ୍ତି ।
''ସେ ଜଣେ ମହିଳା, ତାଙ୍କ ଝିଅ ଆତ୍ମହତ୍ୟା କରିଛି । ତାଙ୍କ ମାନବାଧିକାରକୁ କ୍ଷୁର୍ଣ୍ଣ କରିଛି ରାଜ୍ୟ ପୋଲିସ । ଏପ୍ରସଙ୍ଗ ନିଶ୍ଚୟ ଭାବେ ବିଧାନସଭାରେ ଉଠିବ'' ବୋଲି କହିଛନ୍ତି ନରସିଂହ ।
ଇଟିଭି ଭାରତ, ଭୁବନେଶ୍ବର