ଭୁବନେଶ୍ବର: ରାଜସ୍ଥାନ ଉଦୟପୁରରେ ଅନୁଷ୍ଠିତ ହୋଇଥିବା ଜାତୀୟ କଂଗ୍ରେସର ଚିନ୍ତନ ଶିବିର ଶେଷ ହୋଇଛି । ଚିନ୍ତନ ଶିବିରରେ ସାମିଲ ହୋଇଥିବା ନିରଞ୍ଜନ ପଟ୍ଟନାୟକ ଆଜି ଓଡିଶା ଫେରିଆସିଛନ୍ତି । ଓଡିଶା ଆସିବା ପରେ ନିରଞ୍ଜନ କହିଛନ୍ତି 3 ଦିନ ଧରି ଚାଲିଥିବା ଚିନ୍ତନ ଶିବିରରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ମୁଖ୍ୟତଃ ସଂଗଠନ, ରାଜନୈତିକ ପ୍ରସଙ୍ଗ, ଆର୍ଥିକ ବ୍ୟବସ୍ଥା, କୃଷି ଓ କୃଷକ, ବେରୋଜଗାରୀ ପ୍ରସଙ୍ଗ, ସାମାଜିକ ନ୍ୟାୟ ସମ୍ପର୍କରେ ଆଲୋଚନା ହୋଇଛି । କଂଗ୍ରେସ ଦଳକୁ ସୁଦୃଢ କରିବା ଉପରେ ମଧ୍ୟ ନିଷ୍ପତ୍ତି ହୋଇଛି ।
ଆସନ୍ତା ଗାନ୍ଧୀ ଜୟନ୍ତୀ ତଥା ଅକ୍ଟୋବର 2 ତାରିଖରୁ 'ଭାରତ ଯୋଡ’ କାଯ୍ୟକ୍ରମ ଆରମ୍ଭ ହେବ । ଭାରତ ଦେଶକୁ ଭାଙ୍ଗିଵା ପାଇଁ ବିଜେପି ଦଳ ଯେଉଁଭଳି ଭାବରେ ଚେଷ୍ଟା କରୁଛି ତା ବିରୋଧରେ ଏହି ଭାରତ ଯୋଡ କାର୍ଯ୍ୟକ୍ରମ କରିବ । ତାସହ ଗୋଟିଏ ପରିବାରକୁ ଗୋଟିଏ ଟିକେଟ ଓ 5 ବର୍ଷ ଦଳରେ କାର୍ଯ୍ୟ କରିଥିବା ନେତାଙ୍କୁ ଟିକେଟ ଦେବା କଥା ଆଲୋଚନା ହୋଇଛି । 50 ବର୍ଷ ବୟସ ଭିତରେ ଥିବା ଯୁବବର୍ଗର ନେତା ମାନଙ୍କୁ ମଧ୍ୟ ଆଗକୁ ଆସିବାର ସୁଯୋଗ ଦିଆଯିବ ।
ସେହିପରି 50 ଭାଗ ଯୁବ ନେତାଙ୍କୁ 50 ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବ । ଏହାବାଦ ମହିଳା ମାନଙ୍କୁ ମଧ୍ୟ ଅଗ୍ରାଧିକାର ଦିଆଯିବ ଦଳରେ । ସେପ୍ଟେମ୍ବର ମାସ ସୁଦ୍ଧା ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ବହୁ ପଦ ପଦବିରେ ବଡ ପରିବର୍ତ୍ତନ ହେବ ବୋଲି କହିଛନ୍ତି ନିରଞ୍ଜନ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ