ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିଶାମୁକ୍ତି ଅଭିଯାନକୁ ନେଇ କଡା ସମାଲୋଚନା କରିବା ସହ କଡା କଟାକ୍ଷ କରିଛି କଂଗ୍ରେସ । ସରକାରଙ୍କ ନିଶାମୁକ୍ତି ଅଭିଯାନ, ଯାଦୁଆ ଯାଦୁ ମଲମ ବିକିବା ସଦୃଶ ବୋଲି କହିଛି କଂଗ୍ରେସ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ସରକାରଙ୍କ ନିଶାମୁକ୍ତି ଅଭିଯାନ ଏକ ପ୍ରହସନ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ସୂଚନା ଯେ, ରାଜ୍ୟ ସରକାର ନିଶାମୁକ୍ତି ଅଭିଯାନ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଆରମ୍ଭ ହେବା ନେଇ ଘୋଷଣା କରିଛନ୍ତି l ରାଜ୍ୟ ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି, ଜିଲ୍ଲା ସ୍ତରରେ ୧୦ ଲକ୍ଷ ଟଙ୍କା ଏବଂ ରାଜ୍ୟ ସ୍ତରରେ ୨୦ ଲକ୍ଷ ଟଙ୍କାର ସହାୟତା ସରକାର ଯୋଗାଇଦେବେ l
ସରକାର ନିଜେ ନିଶା ଏବଂ ମଦର ପ୍ରସାର ପାଇଁ ସବୁ ପ୍ରକାରର ପ୍ରୋତ୍ସାହନ ଦେଇ ଆସୁଛନ୍ତି l ନିଶା ନିବାରଣ ତ ଦୂରର କଥା, ନିଶାକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଯେତେ ପ୍ରକାରର ଅପକୌଶଳ କରାଯାଇପାରେ ତାହା କରିବାକୁ ସଂକୋଚ କରି ନାହାନ୍ତି l ଏହାର ବଳିଷ୍ଠ ଉଦାହରଣ ହେଉଛି ସରକାରଙ୍କର କ୍ରମାଗତ ଅବକାରୀ ରାଜସ୍ବ ବୃଦ୍ଧି ବୋଲି କହିଛନ୍ତି ସୁଦର୍ଶନ l ୨୦୦୦ ମସିହାରେ ବିଜେଡି ସରକାର ଯେତେବେଳେ କ୍ଷମତାକୁ ଆସିଲେ ସେତେବେଳେ ଅବକାରୀ ରାଜସ୍ବ ଆଦାୟ ଥିଲା ୧୩୦ କୋଟି ଟଙ୍କା l ସେବେଠୁ ପ୍ରତିବର୍ଷ ଏହା ବୃଦ୍ଧି ପାଇ ଚାଲିଛି l ୨୦୧୦ ମସିହାରେ ଏହା ୧୦୫୦ କୋଟିରେ ପହଞ୍ଚିଥିବା ବେଳେ ୨୦୨୦ ବେଳକୁ ଏହା ୪୬୦୦ କୋଟି ଟଙ୍କାରେ ପହଞ୍ଚିବାର ଆକଳନ କରାଯାଇଛି l ସରକାର ବାସ୍ତବରେ ନିଶା ନିବାରଣ ପାଇଁ ପ୍ରଚେଷ୍ଟା କରିବା ପରିବର୍ତ୍ତେ ନିଶାକୁ ବ୍ୟାପକ କରି ରାଜସ୍ବ ଆଦାୟ ପାଇଁ ମତୁଆଲା ହୋଇ ଆସିଛନ୍ତି l ଆଉ ଏବେ ନିଶା ପ୍ରୋତ୍ସାହନକାରୀ ସରକାର ନିଶା ନିବାରଣ ବାନା ଧରି ଅଭିଯାନ ଆରମ୍ଭ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା ବୋଲି କହିଛି କଂଗ୍ରେସ ।
ପୂର୍ବରୁ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ସ୍ତରରେ ପ୍ରତିବାଦ ଆନ୍ଦୋଳନ ହୋଇଆସିଛି l ସରକାର ସେମାନଙ୍କ ଦାବି ପ୍ରତି ତିଳେ ମାତ୍ର କର୍ଣ୍ଣପାତ କରିନାହାନ୍ତି l ରାଜ୍ୟର ମହିଳାମନେ ବିଭିନ୍ନ ସ୍ଥାନରେ ମଦୁଆ ଏବଂ ମଦ ଦୋକାନୀମାନଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି l ସେମାନଙ୍କୁ ସାବାସୀ ବା ପ୍ରୋତ୍ସାହନ ଦେବା ପରିବର୍ତ୍ତେ ସେମାନଙ୍କ ଉପରେ ପୁଲିସ ଜୁଲୁମ କରିଛନ୍ତି l ଆଜି ମଧ୍ୟ ଅଧିକାଂଶ ଥାନାରେ ଶହ ଶହ ମହିଳାଙ୍କ ବିରୁଦ୍ଧରେ ବିଭିନ୍ନ ଦଫା ଲାଗୁ ହୋଇ ପଡ଼ିରହିଛି l ଗୁଟଖାକୁ ରାଜ୍ୟରୁ ବ୍ୟାନ କରିବା ପାଇଁ ସରକାରଙ୍କର ପଦକ୍ଷେପ ଆଜି ପର୍ଯ୍ୟନ୍ତ କେବଳ କାଗଜ କଲମରେ ସୀମାବଦ୍ଧ ହୋଇ ରହିଯାଇଛି l ରାଜ୍ୟରେ ବ୍ରାଉନ ସୁଗାର କାରବାର ଏବଂ ବ୍ୟବହାର ଆଶାତୀତ ଭାବରେ ବଢିଚାଲିଛି l ମଦ ଏବଂ ବିଭିନ୍ନ ନିଶା ଆଜି ଓଡ଼ିଶାର ଯୁବ ସମାଜକୁ ପଙ୍ଗୁ କରିବାକୁ ବସିଲାଣି l ମହିଳା ମାନଙ୍କ ଉପରେ ଅତ୍ୟାଚାର ଏଥିପାଇଁ ବଢିଚାଲିଛି l ରାଜ୍ୟରେ ବର୍ଦ୍ଧିତ ସଡ଼କ ଦୁର୍ଘଟଣାର ମଧ୍ୟ ଏହା ପ୍ରମୁଖ କାରଣ l ବିଗତ ୨୦ ବର୍ଷ ଧରି ସରକାର ଏଥିପାଇଁ ଦୃଷ୍ଟି ଦେଲେନାହିଁ, ବରଂ ବିରାଡ଼ି ବୈଷ୍ଣବ ସାଜି ଏକଥା ଘଟିବାକୁ ଛାଡ଼ିଦେଲେ l ଆଉ ଆଜି ନିଶା ନିବାରଣ ଅଭିଯାନ ପାଇଁ ଆଗେଇ ଆସିବା ସରକାରଙ୍କର ଏକ ପ୍ରବଞ୍ଚନା ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ l
ଯଦି ସରକାର ନିଶା କବଳରୁ ଓଡ଼ିଶାର ଯୁବ ସମାଜ ଏବଂ ମହିଳା ମାନଙ୍କୁ ସୁରକ୍ଷା ଦେବାକୁ ଚାହାଁନ୍ତି ତେବେ ଅଭିଯାନର ପ୍ରହସନ ନକରି ନିଶା ନିବାରଣ ପାଇଁ ଦୃଢ଼ ପଦକ୍ଷେପ ନିଅନ୍ତୁ l
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ