ଭୁବନେଶ୍ବର: ଏଣିକି ରାଜନୈତିକ ଦଳଙ୍କୁ ମିଳୁଥିବା ନଗଦ ଚାନ୍ଦା ଉପରେ ଲାଗିବ ଲଗାମ । ଚାନ୍ଦା ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ଚିଠି ଲେଖିଲେ ନିର୍ବାଚନ କମିଶନ। ବିଭିନ୍ନ ସୂତ୍ରରୁ ମିଳୁଥିବା ବେନାମୀ ଚାନ୍ଦାର ଆକାର ୨୦ ହଜାରରୁ ୨ ହଜାରକୁ କମାଇବାକୁ ସେ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି ।
ଯଦି କୌଣସି ରାଜନୈତିକ ଦଳକୁ ବେନାମୀ ଚାନ୍ଦା ଆକାରରେ ୨ ହଜାରରୁ କମ ଟଙ୍କା ମିଳେ ତେବେ ଏହି ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଅବଗତ କରିବା ଆବଶ୍ୟକତା ନାହିଁ।।ଏବେ ଏହି ଚାନ୍ଦାର ଆକାର ୨୦ ହଜାର ଟଙ୍କା ରହିଛି। ତେବେ ଏହାକୁ କମାଇ ୨ ହଜାର ଟଙ୍କା କରିବାକୁ ପ୍ରସ୍ତାବ ଦେଇଛନ୍ତି ନିର୍ବାଚନ କମିଶନ। ଏହାସହ ଗୋଟିଏ ଦଳକୁ ସର୍ବାଧିକ ମୋଟ୍ କ୍ୟାସ୍ ଡୋନେସନ ୨୦ କୋଟିରେ ସୀମିତ କରିବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ଏହା ବି ପଢନ୍ତୁ- ଟିକା ଦେଉନି କେନ୍ଦ୍ର, ମାଗଣା ଟିକା ପାଇଁ ଚିଠି ଲେଖିଲା ସ୍ବାସ୍ଥ୍ୟ ବିଭାଗ
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏନେଇ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଚିଠି ଲେଖିଛନ୍ତି। ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଟଙ୍କା ଉପରେ ସ୍ବଚ୍ଛତା ଆଣିବାକୁ ଏହି ପ୍ରସ୍ତାବ ଦିଆଯାଇଛି। ବର୍ତ୍ତମାନ ଥିବା ଆଇନ ଅନୁଯାୟୀ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ବାବଦରେ ନିର୍ବାଚନ କମିଶନଙ୍କୁ ଜଣାଇବା ବାଧ୍ୟତାମୂଳକ। ତେବେ ଏହି ଚାନ୍ଦା ଅଦାୟକୁ ନେଇ କଂଗ୍ରେସ ନିଜର ପ୍ରତିକ୍ରିୟା ରଖିଛି ।
ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ଯଦି ଏହି ନିୟମ ନିର୍ବାଚନ ଆୟୁକ୍ତ କଡାକଡି କରନ୍ତି ତେବେ ଏହା ସ୍ବାଗତଯୋଗ୍ୟ ପଦକ୍ଷେପ । ସ୍ବଚ୍ଛ ଅବାଧ ନିରପେକ୍ଷ ନିର୍ବାଚନ ହେଲେ ଭଲ ।"
ଇଟିଭି ଭାରତ, ଭୁବନେଶ୍ବର