ଭୁବନେଶ୍ବର: କଟକ କଂଗ୍ରେସ ବିଧାୟକଙ୍କୁ ଅସମ୍ମାନ ପ୍ରସଙ୍ଗରେ ଡିସିପି ଅଖିଳେଶ୍ବର ସିଂହଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କଲା ରାଜ୍ୟ କଂଗ୍ରେସ । କଟକ ସହର ଦୁର୍ଗାପୂଜା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ନଡକାଯିବା ଓ ଜାଣିଶୁଣି ଅସମ୍ମାନ କରିବା ପ୍ରସଙ୍ଗରେ ଆପତ୍ତି ଉଠାଇଛି ପ୍ରଦେଶ କଂଗ୍ରେସ ।
ଶନିବାର ଭୁବନେଶ୍ବର କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ଅଖିଳେଶ୍ବର ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ । ମୁଖ୍ୟମନ୍ତ୍ରୀ ୫ ଟି ମନ୍ତ୍ର ପାଳନ କରିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି । ଏପଟେ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା କଟକ ଡିସିପି ଅଖିଳେଶ୍ବର ସିଂହ ଜାଣିଶୁଣି କଟକ ବାରବାଟୀ ବିଧାୟକଙ୍କୁ ରାଜ୍ୟ ସରକାରଙ୍କ ବ୍ଲକ ସରକୁଲାର ନଂ ୪୭ କୁ ଉଲଂଘନ କରି ସରକାରୀ କାର୍ଯ୍ୟକ୍ରମ ଠାରୁ ଦୂରେଇ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ 'ମୋ ସରକାର 'କାର୍ଯ୍ୟକ୍ରମ ହାତକୁ ନେଇ ପୋଲିସ ପ୍ରଶାସନ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟବଧାନ କମାଉଛନ୍ତି । ଏପଟେ ଜଣେ ନିର୍ବାଚିତ ବିଧାୟକଙ୍କୁ ସରକାରୀ କାର୍ଯ୍ୟକ୍ରମକୁ ନଡାକି ଏକ ନକରାତ୍ମକ ଉଦ୍ୟମ କରିଛନ୍ତି ।
ରାଜ୍ୟ ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାରି କରିଥିବା ବ୍ଲକ ସରକୁଲାର ୪୭ ନଂ ଅନୁଯାୟୀ ପ୍ରତ୍ୟେକ ସରକାରୀ ଅଧିକାରୀ ନିର୍ବାଚିତ ପ୍ରତିନିଧିଙ୍କୁ ଯଥାବିଧି ସମ୍ମାନ ପ୍ରଦର୍ଶନ କରିବେ । ଏହାସହ ଜନସାଧାରଣଙ୍କ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ତାଙ୍କୁ ସାହାଯ୍ୟ କରିବେ । ହେଲେ ପ୍ରୋଟୋକଲର ସମସ୍ତ ନିୟମକୁ ଡିସିପି ସମ୍ପୂର୍ଣ୍ଣ ଉଲଂଘନ କରି ଚାଲିଛନ୍ତି ।
ଏନେଇ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣେଇବା ସତ୍ବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ତାଙ୍କର ଏକ ନିର୍ଦ୍ଧିଷ୍ଟ ଦଳ ପ୍ରତିଥିବା ଆନୁଗତ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ