ଭୁବନେଶ୍ବର: ୫ଟି ଓ ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ନବୀନ ସରକାର ଗତ ୧୦ ବର୍ଷରେ ଧାନବସ୍ତା ବାବଦରେ ୨୨୦୬ କୋଟି ଟଙ୍କା ହରିଲୁଟ କରିଥିବା କଂଗ୍ରେସ ଅଭିଯୋଗ କରିଛି । ଏନେଇ ପ୍ରଦେଶ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ ଏବଂ ଅମୀୟ ପାଣ୍ଡବ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରିଛନ୍ତି । ଗୁରୁ ସୂଚନା ଅଧିକାର ଆଇନ ବଳରେ ସରକାରୀ ତଥ୍ୟ ଆଧାରରେ ସରକାରଙ୍କୁ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ । ସରକାର ଏ ବାବଦରେ ଅନୁନ୍ୟ ୨୨ ଶହ ୬ କୋଟି ୯୨ ଲକ୍ଷ ୨୫ ହଜାର ୩୯୬ ଟଙ୍କା ଗତ ୧୦ ବର୍ଷରେ ଖର୍ଚ୍ଚ କରିଥିବା ବେଳେ ରାଜ୍ୟର ଜଣେ ହେଲେ ଚାଷୀ ଟଙ୍କାଟିଏ କାହିଁକି ପାଇନାହାନ୍ତି । ଏବଂ ଏ ଅର୍ଥରାଶି କୁଆଡ଼େ ଗଲାବୋଲି ପ୍ରଶ୍ନ ପଚାରିଛି କଂଗ୍ରେସ ।
ଚାଷୀ ବସ୍ତା ବାଦରେ ଟଙ୍କା ପାଇନଥିବା ବେଳେ ବର୍ଷକୁ ବର୍ଷ ବସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯିବା ପଛରେ କାରଣଟି କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି । ଏବଂ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ ତାହା ଜାଣିବାକୁ ଚାହିଁଥିଲେ । ମଣ୍ଡି ହେଣ୍ଡଲିଂ ବାବଦରେ ଏସବୁ ଅର୍ଥ କାହା ପକେଟକୁ ଯାଇଛି । ଏବଂ ଏହି ଦୁର୍ନୀତି ପାଇଁ କିଏ ଦାୟୀ ବୋଲି ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟବାସୀଙ୍କ ସାମ୍ନାରେ ଉତ୍ତର ରଖନ୍ତୁ । ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ରିଜର୍ଭ ବ୍ୟାଙ୍କର ଗାଇଡ଼ ଲାଇନ ଅନୁସାରେ ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ କଲାବେଳେ ଅଗ୍ରୀମ ଅର୍ଥ ପ୍ରଦାନ ପାଇଁ ସୁପାରିଶ ଥିଲେ ମଧ୍ୟ ଓଡ଼ିଶାରେ କାହିଁକି ଏ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା । ୨୧ ବର୍ଷ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ଦେବା ଆବଶ୍ୟକ । ଏଭଳି ଅନେକ ଦୁର୍ନୀତି ପ୍ରସଙ୍ଗରେ ୯ ବର୍ଷ କାଳ ଏକାଠି ଓଡ଼ିଆବାସୀଙ୍କୁ ମିଳିମିଶି ଲୁଟିଥିବା କାରଣରୁ ବିଜେପି ଦଳ ନୀରବ ରହିଛି । ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେଲେ କଂଗ୍ରେସ ଚାଷୀମାନଙ୍କୁ ସାଥିରେ ଧରି ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ