ଭୁବନେଶ୍ବର: ଦେଶରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ଓ ବେକାରୀ ପ୍ରସଙ୍ଗକୁ ନେଇ ଆଜି ସାରା ବିଭିନ୍ନ ରାଜ୍ୟରେ ପ୍ରେସମିଟ (Congress Press Conference) କରି କେନ୍ଦ୍ର ସରକାରଙ୍କୁ ଘେରିଛି ।
ଏନେଇ ଭୁବନେଶ୍ବର ସ୍ଥିତି ଓଡିଶା କଂଗ୍ରେସ ମୁଖ୍ୟାଳୟରେ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀ ଦଳ କରି କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ବର୍ଷିଛି । ସାମ୍ବାଦିକ ସମ୍ମିଳନୀରେ ବିହାରର ପୂ୍ର୍ବତନ ପ୍ରଦେଶ କଂଗ୍ରେସ ସଭାପତି ଅନିଲ ଶର୍ମା ଯୋଗ ଦେଇ କହିଛନ୍ତି, 2014 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଥିବା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦି ଦରଦାମ ବୃଦ୍ଧିକୁ ନେଇ ନିର୍ବାଚନୀ ସଭାରେ ଅନେକ ପ୍ରତିଶୃତି ଦେଉଥିଲେ । ଏପରିକି ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ ଟାର୍ଗେଟ କରୁଥିଲେ ।
ଦରଦାମ ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀଙ୍କ କିଛି କର୍ତ୍ତବ୍ୟ ଅଛି କି ନାହିଁ ବୋଲି ପ୍ରଶ୍ନ କରୁଥିଲେ । ହେଲେ ଏବେ କଣ ସ୍ଥିତି? କାହିଁକି ପ୍ରଧାନମନ୍ତ୍ରୀ ଦରଦାମ ବୃଦ୍ଧିକୁ ନେଇ ମୁହଁ ଖୋଲୁନାହାଁନ୍ତି ? ବେକାରୀ ସମସ୍ୟା କେବେ ଦୂର ହେବ? କେବେ ଚାକିରୀ ଆଶାୟୀଙ୍କୁ ନିଯୁକ୍ତି ମିଳିବ ? ବୋଲି ପ୍ରଶ୍ନ କରିଥିଲେ ଅନିଲ ।
ସେହିପରି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପିସିସି ସଭାପତି ଯୋଗ ଦେଇ ରାଜ୍ୟବାସୀଙ୍କୁ ନବବର୍ଷ ଶୁଭେଚ୍ଛା ଜଣାଇବା ସହ, ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ବର ବେହେରା ଓ ସତ୍ୟ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ