ଭୁବନେଶ୍ବର: ପୁଣି ଚର୍ଚ୍ଚାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । କେତେବେଳେ ବିବାଦୀୟ ବୟାନ ତ କେତେବେଳେ ଗୃହରେ ମଜାଳିଆ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥାନ୍ତି ସେ । ତେବେ ମଙ୍ଗଳବାର ଏଭଳି ଏକ ଦୃଶ୍ୟ ବିଧାନସଭାରେ ଦେଖିବାକୁ ମିଳିଛି । ଯାହା ତାଙ୍କୁ ଆହୁରି ଚର୍ଚ୍ଚାକୁ ଟାଣିଛି ।
ଖୋଦ୍ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଙ୍କୁ ଫ୍ଲାଇଂ କିସ୍ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି । ପାନୀୟ ଜଳ ପ୍ରସଙ୍ଗରେ ପ୍ରଶ୍ନକାଳରେ ଆଲୋଚନା ସମୟରେ ଶେଷକୁ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେଇଥିଲେ । ଆଉ ସେଥିପାଇଁ ସେ ବାଚସ୍ପତିଙ୍କୁ ଧନ୍ୟବାଦ ଦେଇଥିଲେ । ଶେଷରେ କଥା ଛଳରେ ଫ୍ଲାଇଙ୍ଗ କିସ୍ କରିଥିଲେ । ଯାହାକୁ ନେଇ ଗୃହରେ ବେଶ ହାସ୍ୟ ରୋଳ ସୃଷ୍ଟି ହୋଇଥିଲା ।
ତେବେ ଏନେଇ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି, ‘ମୁଁ ସବୁବେଳେ ଏଭଳି ମଜା କରିଥାଏ । ଗୃହର ଗମ୍ଭୀର ପତିବେଶକୁ ଟିକେ ହାଲୁକା କରିଥାଏ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଏଭଳି କହିଥିଲି ।’ ସୂଚନା ଥାଉକି, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଆପଣ ଖୁସି ତ ବୋଲି କହିଥିଲେ ତାରା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ