ଭୁବନେଶ୍ବର: କଂଗ୍ରେସ ଭବନରେ ସୁରଙ୍କ ସାନ ପୁଅ । ରାଜନୀତିରେ ଏଣ୍ଟ୍ରୀ ମାରିବେ ବୋଲି ଜୋରଦାର ଚର୍ଚ୍ଚା । ଏୟାର ଇଣ୍ଡିଆ କମ୍ପାନୀରେ ପାଇଲଟ ଭାବେ କାର୍ଯ୍ୟରତ ଥିବା କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ଆଜି କଂଗ୍ରେସର ମିଶ୍ରଣ ପର୍ବ ଓ ସାମ୍ବାଦିକ ସମ୍ମିଳନୀରେ ଦେଖିବାକୁ ମିଳିଛି ।
ତେବେ ପୂର୍ବରୁ ମନ୍ମଥ ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ପୁଅ ନିଷ୍ପତ୍ତି ନେବ ବୋଲି କହୁଥିଲେ ସୁର । କିନ୍ତୁ ଆଜି ମିଶ୍ରଣ ପର୍ବରେ ଦଳର ସଂଘଠନକୁ ସୁଦୃଢ କରିବାରେ ପୁଅ ଭୂମିକା ଥିବା କହିଛନ୍ତି ସୁର । ପୁଅ ଠିଆ ହେବା ପାଇଁ ଇଚ୍ଛା କଲେ ମୋର ଆପତ୍ତି ନାହିଁ ବୋଲି ସୁର କହିଛନ୍ତି । କୋରୋନା ସମୟରେ ପୁଅ 50ରୁ 60 ଲକ୍ଷ ଟଙ୍କା ହାତରୁ ଖର୍ଚ୍ଚ କରି ମାସ୍କ ଓ ଖାଦ୍ୟ ବାଣ୍ଟିଥିବା କଥା ମଧ୍ୟ ସୁର ସୂଚନା ଦେଇଛନ୍ତି । ତେବେ ରାଜ୍ୟ ସରକାର କୋରୋନା ମୁକାବିଲାରେ ଫେଲ ମାରିଥିବା ଅଭିଯୋଗ ଆଣି ପୁଅଙ୍କ କାମ ପାଇଁ ଗର୍ବିତ ଅଛନ୍ତି ବୋଲି କହିଛନ୍ତି ଜଟଣୀ ବିଧାୟକ ।
ସେପଟେ କିନ୍ତୁ ପୁଅ ମନ୍ମଥ ରାଉତରାୟ କହିଛନ୍ତି, ‘‘ଜଣେ ପାଇଲଟ ହୋଇଥିବାରୁ ଆଜି ମୋ ପାଇଁ ଏହା ଏକ ବଡ ଦିନ । ମୋ ପାଇଁ ଗର୍ବର ଦିନ । ରାଜୀବ ଗାନ୍ଧୀ ପାଇଲଟ ଜୀବନରୁ ଦେଶ ପାଇଁ ଯାହା ବଳିଦାନ ଦେଇଛନ୍ତି ତାହା ଅବିସ୍ମରଣୀୟ । ମୁଁ ଏବେ ବି ସେଇ କମ୍ପାନୀରେ ଅଛି ଯାହାକୁ ଛାଡି ରାଜୀବ ଗାନ୍ଧୀ ରାଜନୀତିକୁ ଆସିଥିଲେ ।’’
ତେବେ ରାଜନୀତିକୁ ଏଣ୍ଟ୍ରୀ ମାରିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ମୁଁ ଏବେ ନୂଆ ନୂଆ ସାମାଜିକ କାମ କରୁଛି । ବାପାଙ୍କ ବୟସ ଅପରାହ୍ନରେ ତାଙ୍କ ସହ ଠିଆ ହୋଇଛି । ବର୍ତ୍ତମାନ ମୁଁ ରାଜନୀତିକୁ ଆସିବା ନ ଆସିବା ପ୍ରଶ୍ନର ଉତ୍ତର ଦେଇ ପାରିବି ନାହିଁ । ମାତ୍ର ଏହା ମାନେ ନୂହେଁ ଯେ ମୁଁ ରାଜନୀତିକୁ ଆସିବି ନାହିଁ ।’’
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ