ଭୁବନେଶ୍ବର: ଦୀର୍ଘ ଦଶନ୍ଧି ଧରି ରାଜଧାନୀର ପ୍ରତୀକ ପାଲଟିଥିବା ମାଷ୍ଟରକ୍ୟାଣ୍ଟିନ ଘୋଡ଼ାକୁ ରାଜଭବନ ସାମ୍ନାକୁ ସ୍ଥାନାନ୍ତରିତ କରାଯିବ । ସ୍ମାର୍ଟ ଜନପଥର ବିକାଶ ପାଇଁ ଏହି ଘୋଡ଼ାକୁ ରାଜଭବନ ସାମ୍ନାକୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛି ବିଡିଏ । ଯାହାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଉଥିବାବେଳେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ବିଜେପି ଜିଲ୍ଲା ସଭାପତି ବାବୁ ସିଂହ ଆଜି(ଗୁରୁବାର) ଏହାକୁ ବିରୋଧ କରିଛନ୍ତି ।
ସ୍ମାର୍ଟସିଟିର ଅତୀତ ବହନ କରୁଥିବା ମାଷ୍ଟର କ୍ୟାଣ୍ଟିନ ଛକ ଉପରେ ଥିବା ଘୋଡା ଓ ଯୋଦ୍ଧାକୁ ଅନ୍ୟତ୍ର ହଟାଇବା ନେଇ ବିଡିଏ ଓ ସ୍ମାର୍ଟସିଟି ପକ୍ଷରୁ ନିଷ୍ପତ୍ତି ପରେ ତେଜିଲା ରାଜନୀତି । ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନ ଛକର ଘୋଡା ଓ ଯୋଦ୍ଧାକୁ ରାଜଭବନ ଛକ ଗୋଳେଇକୁ ସ୍ଥାନାନ୍ତର କରିବା ନେଇ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିଲା ପରେ ସ୍ମାର୍ଟସିଟି ଦ୍ବାରା ସ୍ଥାନାନ୍ତରିତ ପ୍ରକ୍ରିୟାକୁ ବିରୋଧ କରିଛନ୍ତି ଭୁବନେଶ୍ବର ବାସୀ। ସ୍ମାର୍ଟସିଟିର ସୌନ୍ଦର୍ଯ୍ୟକରଣ ଆଳରେ ପ୍ରାଚୀନ କୀର୍ତ୍ତିରାଜିକୁ ନଷ୍ଟ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ।
ଗୁରୁବାର କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ ରାଜ୍ୟ ସରକାର ଓ ବିଡିଏ, ସ୍ମାର୍ଟସିଟି ଉପରେ ବର୍ଷିଛନ୍ତି । ଏହା ଏକ ଷଡଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି। ରାଜଧାନୀର ପରିଚୟ ବହନ କରୁଥିବା ପ୍ରାଚୀନ କୀର୍ତିରାଜିକୁ ସରକାର ଏମିତି ହଟେଇ ପାରିବେନି, ଭୁବନେଶ୍ବରର ପରିଚୟ ମାଷ୍ଟରକ୍ୟାଣ୍ଟିନ ଛକର ଘୋଡା ଓ ଯୋଦ୍ଧାକୁ ବିଶିଷ୍ଟ ପଥରଶିଳ୍ପୀ ରଘୁନାଥ ମହାପାତ୍ର ଦ୍ବାରା ନିର୍ମିତ ଏହି ପ୍ରାଚୀନ ଇତିହାସକୁ ସ୍ଥାନାନ୍ତରିତ ଏକ ନିନ୍ଦନୀୟ ଘଟଣା ବୋଲି କହିଛନ୍ତି ଭୁବନେଶ୍ବର ବିଜେପି ସଭାପତି ବାବୁ ସିଂହ।
ସ୍ମାର୍ଟସିଟି ପକ୍ଷରୁ ବାଣୀବିହାରଠାରୁ ଶିଶୁ ଭବନ ପର୍ଯ୍ୟନ୍ତ ବହୁ କୋଟି ଟଙ୍କା ବ୍ୟୟରେ ସ୍ମାର୍ଟ ଜନ ପଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ତେବେ ଏହି ରାସ୍ତାର ପ୍ରଶସ୍ତିକରଣ ଓ ସୌନ୍ଦର୍ଯ୍ୟକରଣ ନେଇ ପ୍ରତିବନ୍ଧକ ସାଜିଥିବା ବିଭିନ୍ନ ମୂର୍ତ୍ତି ଓ ଆଧ୍ୟାତ୍ମିକ ଅନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ପୂର୍ବରୁ ସ୍ମାର୍ଟସିଟି ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଥିଲା। ୧୯୮୮ ମସିହାରେ ମାଷ୍ଟର କ୍ୟାଣ୍ଟିନରେ ସ୍ଥାପିତ ଘୋଡା ଓ ଯୋଦ୍ଧାକୁ ରାଜଭବନ ଗୋଲେଇକୁ ସ୍ଥାନାନ୍ତରିତ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଗ୍ରୀନ ସିଗ୍ନାଲ ମିଳିଲା ପରେ ବିଡିଏ ଓ ସ୍ମାର୍ଟସିଟି ସ୍ଥାନାନ୍ତର କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଛି। ତେବେ ଏହାକୁ ନେଇ ବିରୋଧ ଜୋରଦାର ହେଉଛି।
ଭୁବନେଶ୍ବରରୁ ଦେବସ୍ମିତା ରାଉତ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ