ଭୁବନେଶ୍ବର: ପ୍ରଥମେ ମାଟି ନା ପାର୍ଟି । ଶେଷରେ ପ୍ରଥମେ ମାଟିକୁ ବାଛିଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ବେଖାତିର କରି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ତେବେ ବିଧାୟକ ମହମ୍ମଦ ମୋକିମଙ୍କ କ୍ରସ ଭୋଟିଂ ମହଙ୍ଗା ପଡିଲା । ଆଜି ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଇବାକୁ ନୋଟିସ ଦେଇଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନୋଟିସର ଜବାବ ଦେବାକୁ କୁହାଯାଇଛି ।
ରାଷ୍ଟ୍ରପତି ନିର୍ବାଚନରେ ଭୋଟିଂ ଲାଗି କୌଣସି ସାଂସଦ ଓ ବିଧାୟକଙ୍କୁ ହୁଇପ ଜାରୀ କରାଯାଇ ନଥାଏ । ତେବେ ଦେଶର ମିଳିତ ବିରୋଧୀ ଦଳ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲା । ମିଳିତ ବିରୋଧୀ ଦଳ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ଲାଗି କଂଗ୍ରେସ ହାଇକମାଣ୍ଡ ଓଡିଶାର କଂଗ୍ରେସ ସାଂସଦ ଓ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ପିସିସି ସଭାପତିଙ୍କ ସହ କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଦୁଇ ଦୁଇଥର ବୈଠକ ବସି ନିଷ୍ପତ୍ତି ହୋଇଥିଲା । ହେଲେ ପାର୍ଟିର ନିର୍ଦ୍ଦେଶ ନଶୁଣି ମାଟିର ଡାକ ଶୁଣିଥିଲେ କଂଗ୍ରେସ ବିଧାୟକ । ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ବିଧାୟକ ମୋକିମ । ଏପରିକି ଭୋଟ ଦେବାପରେ ମହମ୍ମଦ ମୋକିମ କହିଥିଲେ, ଓଡିଆ ହିସାବରେ ନିଜ ବିବେକ ମୁତାବକ କାର୍ଯ୍ୟ କରିଛି । ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇ କିଛି ଭୁଲ କରିନାହିଁ ।
ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବା ପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନ କରିଥିଲେ ସାମ୍ବାଦିକ । ସେତେବେଳେ ଏହାର ଜବାବ ରଖିଥିଲେ ବିଧାୟକ ମୋକିମ । କହିଥିଲେ ଯଦି ଏପରି ହୁଏ ସେ ଦଳୀୟ ଫୋରମରେ ତାର ଉତ୍ତର ରଖିବେ । ଗତକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଆଜି କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି ପିସିସି ସଭାପତି । ବିଧାୟକ ମୋକିମ କାରଣ ଦର୍ଶାଅ ନୋଟିସର କି ଜବାବ ଦେଉଛନ୍ତି ଆଉ ଦଳ ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ସେନେଇ ସମସ୍ତଙ୍କ ଅପେକ୍ଷା ରହିଛି ।
ଇଟିଭି ଭାରତ, ଭୁବନେଶ୍ବର