ଭୁବେନଶ୍ବର: ଆଗକୁ ଆସୁଛି ନିର୍ବାଚନ ଋତୁ । ଭୋଟରଙ୍କୁ ହାତେଇବା ପାଇଁ ଶାସକ ଦଳ ଓ ବିରୋଧୀ ନିର୍ବାଚନ ରଣନୀତି ପ୍ରସ୍ତୁତ କଲେଣି । ଶାସକ ବିଜେଡିକୁ କଡ଼ା ଟକ୍କର ଦେବାକୁ ଅଣ୍ଟା ଭିଡ଼ିଛନ୍ତି ବିରୋଧୀ । କଂଗ୍ରେସ ଦଳ ସଦସ୍ୟ ଘରକୁ ଘର ଯାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ବଖାଣିବ । ଏହାକୁ ହିଁ ଅସ୍ତ୍ର କରି ପଞ୍ଚାୟତ ଓ ପୌର ନିର୍ବାଚନ ପାର ହେବା ପାଇଁ ଚେଷ୍ଟା ଜୋରଦାର ଚାଲିଛି । ଏଥିପାଇଁ ସ୍ୱତନ୍ତ୍ର ରଣକୌଶଳ ଆପଣେଇଛି କଂଗ୍ରେସ ।
ଏହାକୁ ନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଡକ୍ଟର ଚେଲ୍ଲା କୁମାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଗସ୍ତ ସମୟରେ ନୟାଗଡ଼ରେ ଏକ କଂଗ୍ରେସ ପ୍ରଭାରୀ ଏକ ଜନ ସମାବେଶରେ ଯୋଗ ଦେବେ । ଏହାପରେ କନ୍ଧମାଳ ଯାଇ ଏକ ଜନ ଜାଗରଣ ଯାତ୍ରାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ନିର୍ବାଚନ ବୈତରଣୀ ପାର୍ ହେବାକୁ ଚେଲ୍ଲା କୁମାର ପ୍ରତ୍ୟେକ କର୍ମୀଙ୍କୁ ଆହ୍ୱାନ ଦେବେ । ଉଭୟ ବିଜେଡି ବିଜେପି ସରକାର ଯୋଗୁ କିଭଳି ଭାବେ ଜନସାଧାରଣ ପ୍ରତାରିତ ହେଉଛନ୍ତି । ଗରିବ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକଙ୍କୁ କୁହାଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡିଛି । ମହିଳା ଏଠି ଅସୁରକ୍ଷିତ, ଚାଷୀ ହତାଶ, ଯୁବକ ଚାକିରି ନପାଇ ଦାଦନ ଖଟିବାକୁ ଯାଉଛନ୍ତି । ଏସବୁ ଘଟଣା କୁ ନେଇ ପ୍ରତିଟି ଲୋକ ପାଖକୁ ଯିବ କଂଗ୍ରେସ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ