ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଏହାପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ପ୍ରତିନିଧି । ନିର୍ବାଚନ ଆୟୋଗଙ୍କ ଆଭିମୁଖ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା । ଖାଲି ସେତିକି ନୁହେଁ କୋଭିଡ ସଂକ୍ରମଣ ଯୋଗୁଁ ନିର୍ବାଚନକୁ ୩ ମାସ ଘୁଞ୍ଚାଇବା ପାଇଁ ପ୍ରସ୍ତାବ ରଖିଛି କଂଗ୍ରେସ ।
ପଛୁଆ ବର୍ଗ ଓ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷଣ ଠିକ ଭାବେ ଦିଆଯାଇ ନଥିବାରୁ ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି କଂଗ୍ରେସ । ଗଣେଶ୍ୱର କହିଛନ୍ତି ଯେ, "ଶାସକ ବିଜୁ ଜନତା ଦଳକୁ ଛାଡ଼ିଦେଲେ ସବୁ ବିରୋଧୀ ଦଳଙ୍କର ହୃଦବୋଧ ହେଉଛି ରାଜ୍ୟରେ ଅବାଧ ଓ ନିରପେକ୍ଷ ହେବନାହିଁ । ନିର୍ବାଚନ ଆୟୋଗଙ୍କ ଅଭିମୁଖେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ।"
ବୈଠକରେ କେବଳ ବିଜେଡିକୁ ଛାଡିଦେଲେ କୋଭିଡ ପ୍ରଶମିତ ହେବା ଯାଏଁ ନିର୍ବାଚନ ସ୍ଥଗିତ ରଖିବା ସବୁ ଦଳ ଦାବି ରଖିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ଜନସଂଖ୍ୟା ୨୨.୮୫ ପ୍ରତିଶତ ରହିଛନ୍ତି । ସେହିପରି ପଛୁଆ ବର୍ଗଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ରହିଛି । ସଂରକ୍ଷଣ ଦିଆ ନଯାଇ ନିର୍ବାଚନ ହେଲେ ପ୍ରାୟ ୭୩ ପ୍ରତିଶତ ଲୋକ ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛି କଂଗ୍ରେସ ।
ସେମାନଙ୍କୁ ନ୍ୟାୟ ନଦେଇ ନିର୍ବାଚନ କରିବା ସମୀଚିନ ହେବ ନାହିଁ । ଯଦି ଏପରି ହୁଏ ତେବେ ଏହି ନିର୍ବାଚନ ହେଲେ ଅବୈଧ ହେବ । କୋର୍ଟରେ ଏହା କାଟ ଖାଇବ । କିନ୍ତୁ ଦୁର୍ଭାଗ୍ୟ ନିର୍ବାଚନ ଆୟୋଗ ତାଙ୍କ ପୂର୍ବ ନିର୍ଦ୍ଧାରିତ ମାନସିକତା ନେଇ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ନିର୍ବାଚନ ଆୟୋଗ ମଧ୍ୟ ପ୍ରତ୍ୟକ୍ଷ ଭାବେ ଦାୟୀ ରହିବେ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ