ଭୁବନେଶ୍ବର : ବିଧାନସଭା । ଶବ୍ଦ ଏକ ସଂଜ୍ଞା ଅନେକ । ରାଜ୍ୟ ଶରୀର ହେଲେ, ହୃଦୟ ହେଉଛି ବିଧାନସଭା । କହିବାକୁ ଗଲେ ରାଜ୍ୟର ଆତ୍ମା ବିଧାନସଭା । ଯେଉଁଠି ରାଜ୍ୟ ଓ ରାଜ୍ୟବାସୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହୁଏ । ତାଙ୍କ ସ୍ୱାର୍ଥ ଲାଗି ଯୋଜନା ଓ ଅଇନ ପ୍ରଣୟନ ହୁଏ । ଖାସ ସେଇଥିପାଇଁ ତ୍ ନିଜ ପସନ୍ଦର ପ୍ରତିନିଧିଙ୍କୁ ନିର୍ବାଚିତ୍ କରି ବିଧାନସଭା ପଠାନ୍ତି ଜନସାଧାରଣ । ସେହି ବିଧାୟକ ତାଙ୍କ ସ୍ୱାର୍ଥକୁ ସ୍ୱର ଦେବେ । ତାଙ୍କ ସମସ୍ୟା ସମାଧାନ କରିବା ଲାଗି ବାଟ ବାହାର କରିବେ । ବିକଳ୍ପ ବ୍ୟବସ୍ଥା କରିବେ । ସରକାର ଗଠନ ହୁଏ । ସରକାରଙ୍କ ଭୁଲ ଭଟକାକୁ ଧରିବା ଲାଗି ବିରୋଧୀ ଦଳ ବି ରୁହନ୍ତି । ତେବେ ଗତ କିଛି ବର୍ଷ ହେବ ନିର୍ବାଚିତ ପ୍ରତିନିଧିଙ୍କ ଆଚରଣ ଓ ଉଚ୍ଚାରଣ ବଦଳିବାର ଲାଗିଛି । ଏବେ ପ୍ରଶ୍ନ ଉଠିଲାଣି ବିଧାନସଭାର ଗତି କୁଆଡେ ?
ରାଜ୍ୟରେ ଦିନକୁ ଦିନ ବଦଳୁଛି ନିର୍ବାଚିତ ପ୍ରତିନିଧିଙ୍କ ବ୍ୟବହାର । ଆଇନ ପ୍ରଣେତା ସାଜୁଛନ୍ତି ଆଇନ ଭକ୍ଷକ । ବିଧାନସଭାର ପବିତ୍ର ଗୃହ ପାଲଟୁଛି ରଣକ୍ଷେତ୍ର । ଏଭିଳି ଚିତ୍ର ସାମ୍ନାକୁ ଆସୁଛି ଯାହା ସଭ୍ୟ ସମାଜକୁ ନିନ୍ଦିତ କରୁଛି । ସଂଖ୍ୟା ଗରିଷ୍ଠତା କ୍ଷମତା ବଳରେ ବିରୋଧୀଙ୍କ ସମର୍ଥନ, ଆଲୋଚନା ବିନା ପରିତ ହୋଇଯାଉଛି ବିଲ । ବିନା ତର୍କ ବିତର୍କରେ ଲାଗୁ ହୋଇଯାଉଛି ଆଇନ । ଧାର୍ଯ୍ୟ ସମୟ ପୂର୍ବରୁ ବି ଶେଷ ହୋଇଯାଉଛି ଅଧିବେଶନ । ଏହାକୁ ବିରୋଧ କରି ବିରୋଧୀ କରୁଛନ୍ତି ହଙ୍ଗାମା । କିଏ ବିଧାନସଭାର ମୁଖ୍ୟ ବାଚସ୍ପତିଙ୍କ ପୋଡିୟମରେ ଚଢିଲାଣି । ତ୍ ଆଉ କିଏ ସ୍ପିକର ଟାଣିଲାଣି । ଏହାରି ଭିତରେ ସାମ୍ନାକୁ ଆସୁଛି ଲୋକ ପ୍ରତିନିଧିଙ୍କ ଅଶୋଭନିୟ ଆଚରଣର ନଗ୍ନ ନମୁନା । ପକ୍ଷପାତିତା ଅଭିଯୋଗ ଆଣି ବାଚସ୍ପତିଙ୍କ ଉପରକୁ ଚପଲ ଫିଙ୍ଗିବାକୁ ପଛଘୁଞ୍ଚା ଦେଉ ନାହାନ୍ତି ଲୋକ ପ୍ରତିନିଧି ।
ବିଧାନସଭାରେ ସୃଷ୍ଟି ହେଲା ଅପ୍ରୀତିକର ପରିସ୍ଥିତି । ବାଚସ୍ପତି ଖଣି ଦୁର୍ନୀତି, ଧାନ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ରୁଲିଂ ନଦେବା ସହ ବିରୋଧୀ ଦଳ ନେତାଙ୍କୁ କହିବାକୁ ସୁଯୋଗ ଦେଇନଥିବା ଅଭିଯୋଗ କରିଥିଲେ ବିରୋଧୀ । ଆଲୋଚନା ନ କରି ଅଗଣତାନ୍ତ୍ରୀକ ଓ ଅସମ୍ବାଧାନିକ ଭାବେ ବିଲ ପାସ କରାଇ ନେବା ସହ ବିଧାନସଭା ଚଳାଉଥିବାରୁ ପ୍ରତିବାଦ କରିଥିଲୁ ବୋଲି ବିରୋଧୀ କହିଥିଲେ । ସେଥିପାଇଁ ବାଚସ୍ପତିଙ୍କ ଉପରକୁ ଜୋତା, ଇୟର ଫୋନ, ଡ଼ଷ୍ଟବିନ, ପେପର ଓ ଫେନ ଫିଙ୍ଗା ଯାଇଥିବା ସ୍ୱୀକାର କରିଥିଲେ ବିରୋଧୀ ।
5 ଟି କାର୍ଯ୍ୟ ଦିବସ ପୂର୍ବରୁ ଗତକାଲି ଶେଷ ହୋଇଛି ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଥିବା ଅଧିବେଶନ ବାଚସ୍ପତିଙ୍କୁ ବିରୋଧୀଙ୍କ ଚପଲ ମାଡ଼ରେ ଶେଷ ହୋଇଛି । ହେଲେ ଛାଡିନି ରାଜନୈତିକ ଉଷ୍ମତା । ବାଚସ୍ପତିଙ୍କୁ ଚପଲ ଫିଙ୍ଗି ସସପେଣ୍ଡ ହୋଇଛନ୍ତି ବିଜେପିର 3 ବରିଷ୍ଠ ବିଧାୟକ । ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସଚେତକ ମୋହନ ମାଝୀ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ନିଜ ପକ୍ଷ ରଖିବାକୁ ସୁଯୋଗ ନଦେଇ ସସପେଣ୍ଡ କରିଥିବାରୁ ଏହାକୁ ବିରୋଧ କରି ଆହୋରାତ୍ର ବିଧାନସଭାରେ ଥିବା ଗାନ୍ଧୀ ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ ବିଜେପି ବିଧାୟକ । ବାଚସ୍ପତି ଅନୁରୋଧ ସ୍ୱତେ ଧାରଣାରୁ ହଟି ନଥିଲେ ବିଧାୟକ । ସକାଳେ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବାଚସ୍ପତି ଓ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ବିଧାୟକ । ଅପରାହ୍ନରେ ଏହା ବିରୋଧରେ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ବିଧାୟକ ।
ବିଧାନସଭାରେ ଚପଲ ଫିଙ୍ଗା ନୂଆ ନୁହେଁ !
ବିଧାନସଭାରେ ଚପଲ ଫିଙ୍ଗା ଘଟଣା ନୂଆ ନୁହେଁ ! ପୂର୍ବରୁ ଏ ଭଳି ଘଟଣା ସାମ୍ନାକୁ ଆସିଛି । କିନ୍ତୁ ବାଚସ୍ପତିଙ୍କୁ ଚପଲ ଫିଙ୍ଗିବା କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ୨୦୦୪ରେ ବିଧାନସଭାରେ ଚପଲ ଫିଙ୍ଗାଯାଇଥିଲା । କଳାହାଣ୍ଡିରେ ବେଦାନ୍ତ ଆଲୁମିନାକୁ ଜଙ୍ଗଲ ଜମି ମିଳିବା ଘଟଣାରେ ପ୍ରତିବାଦ କରିଥିଲେ ତତ୍କାଳୀନ ବ୍ରଜରାଜନଗର କଂଗ୍ରେସ ବିଧାୟକ ଅନୁପ ସାଏ ଓ ଅନ୍ୟ କଂଗ୍ରେସ ବିଧାୟକ । ଅନୁପ ସାଏ ଗ୍ୟାଲେରୀରେ ଥିବା ସୁରକ୍ଷାକର୍ମୀଙ୍କୁ ଚପଲ ଫିଙ୍ଗିଥିଲେ । ପ୍ରଶ୍ନକାଳ ସମୟରେ କ୍ୟାମେରାମ୍ୟାନଙ୍କୁ ସୁଟିଂ କରିବାରୁ ବାରଣ କରାଯାଇଥିଲା । ଅଧିବେଶନର ବାକି ସମୟ ପାଇଁ ସାଏଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ତତ୍କାଳୀନ ବାଚସ୍ପତି ମହେଶ୍ବର ମହାନ୍ତି । ଶାସକ ଦଳ ଓ ବିରୋଧୀଙ୍କ ଧସ୍ତାଧସ୍ତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଡ଼ ମକଚି ହୋଇଯାଇଥିଲା ।
ବିଧାନସଭା ମଇକ୍ରୋଫୋନ ଭାଙ୍ଗି ଅନେକ ଥର କ୍ଷମା ପ୍ରାର୍ଥନା କରିବା ସହ ଫାଇନ ଦେଇଛନ୍ତି ଅନେକ ବିଧାୟକ । ସେମାନଙ୍କ ମଧ୍ୟରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସସପେଣ୍ଡ ହେବା ସହ 25 ହଜାର ଟଙ୍କା ଫାଇନ ଦେଇଛନ୍ତି । ଏଭଳି ଚିତ୍ର ଓ ଲୋକ ପ୍ରତିନିଧିଙ୍କ ଆଚରଣ ସାମ୍ନାକୁ ଆସିବା ପରେ ମନକୁ ପ୍ରଶ୍ନ ଆସୁଛି, ବିଧାନସଭାର ଗତି କୁଆଡେ ?
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ