ଭୁବନେଶ୍ବର: ହୁସିଆର ରାଜଧାନୀରେ ଚାଲିଛି ରଙ୍ଗରୁଟ ଡ୍ରାଇଭିଂ ଏନଫୋରସମେଣ୍ଟ । ରଙ୍ଗରୁଟରେ ଗାଡି ଚଲାଉଥିଲେ ଗୋଡ଼ାଇ ଗୋଡ଼ାଇ ଧରୁଛି ଟ୍ରାଫିକ ପୋଲିସ୍ । ଗାଡ଼ି ସହ ଚାଳକର ଫଟୋ ଉଠାଉଛି ପରେ ଫାଇନ କାଟୁଛି ପୋଲିସ । ଆବଶ୍ୟକ ପଡିଲେ ଗାଡିକୁ କୋର୍ଟକୁ ପଠାଇବାକୁ ମଧ୍ୟ ନିୟମ ରହିଛି । ଏନେଇ ବିଗତ ଦୁଇଦିନ ଧରି ରାଜଧାନୀର ବିଭିନ୍ନ ଛକ, ସପିଂ ମଲ୍ ପାଖ । ଭିଡ଼ ସ୍ଥାନ, ମାର୍କେଟ ଏରିଆ ଏପରିକି କଲେଜ ଓ ସ୍କୁଲ ଭଳି ସରକାରୀ ଓ ବେସରକାରୀ ଅଫିସ କଡରେ ଛକି ବସିଛି ଟ୍ରାଫିକ ପୋଲିସ । ସର୍ଟକଟ ଭାବି ରଙ୍ଗରୁଟରେ ଗାଡି ନେଉଥିବା ଗାଡି ଚାଳକଙ୍କୁ ଧରି ଫାଇନ କଷୁଛି ଟ୍ରାଫିକ ପୋଲିସ୍ ।
ଏମିତି କଡା ଆଭିମୁଖ୍ୟ ଗ୍ରହଣ କରିଛି ଭୁବନେଶ୍ବର ଟ୍ରାଫିକ୍ ପୋଲିସ । ବିଗତ ୩ ଦିନରେ ୨୮୮ ଜଣ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ୪୪ ହଜାରରୁ ଅଧିକ ଟଙ୍କା ଫାଇନ ବି ଆଦାୟ ହୋଇସାରିଛି । ଏନେଇ ଜାରି ରହିଛି ସ୍ପେସାଲ ଡ୍ରାଇଭ । ଜରିମାନା ସହିତ ସଚେତନ ବି କରାଯାଉଛି । ଏନେଇ ୭ ଦିନ ପର୍ଯ୍ୟନ୍ତ ଏହି ସ୍ବତନ୍ତ୍ର ଡ୍ରାଇଭ ଚାଲିବ ବୋଲି କହିଛନ୍ତି ଟ୍ରାଫିକ ଏସିପି ସ୍ବସ୍ତିକ ପଣ୍ଡା ।
ତେବେ ଟ୍ରାଫିକ ଏସିପି କହିଛନ୍ତି ଲୋକମାନେ ସଚେତନ ହେଉନାହାନ୍ତି ନିଜର ସୁବିଧା ପାଇଁ ସର୍ଟକଟ୍ ନେଇ ଅନ୍ୟକୁ ଅସୁବିଧା ସୃଷ୍ଟି କରୁଛନ୍ତି । ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହୁଛି । ନିୟୁ ମୋଟର ଭେଇକିଲ ଆକ୍ଟ ଅନୁସାରେ ଫାଇନ ଆଦାୟ କରୁଛୁ । ଆବଶ୍ୟକ ପଡିଲେ ଗାଡି ସିଜ୍ କରି କୋର୍ଟକୁ ପିଆର ପଠାଇବୁ ବୋଲି ସେ କହିଛନ୍ତି । ସୂଚନା ମୁତାବକ ଭୁବନେଶ୍ବର ୨୧ଟି ଜାଗାରେ ଟିମ୍ ଦିଆଯାଇଛି । ସେଠାରୁ ଫାଇନ ଆଦାୟ କରାଯାଉଛି । ଅଧିକ ଯୁକ୍ତି ତର୍କ କଲେ ଗାଡିକୁ ସିଜ କରାଯାଉଛି । କଡ଼ାକଡ଼ି ଭାବରେ ଚେକିଂ ଜାରି ରହିଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ