ଭୁବନେଶ୍ବର: ଡ୍ରଗସ କବଳରେ ରାଜଧାନୀ ଭୁବନେଶ୍ବର। ଡ୍ରଗସ କାରବାରକୁ ରୋକିବାକୁ ରାଜଧାନୀରେ ଡ୍ରଗସ ସ୍କ୍ବାର୍ଡ ଆରମ୍ଭ କରିଛି ସ୍ପେଶାଲ ଅପରେସନ। ମଙ୍ଗଳବାର ଦୁଇଟି ସ୍ଥାନରେ ଚଢ଼ାଉ କରି ଡ୍ରଗସ କାରବାର ମାମଲାରେ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଖଣ୍ଡଗିରି ଥାନା ଅଞ୍ଚଳ ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଗଞ୍ଜେଇ କାରବାରବେଳେ 3 ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ନିକଟରୁ 12 କେଜି 7 ଶହ ଗ୍ରାମ ଗଞ୍ଜେଇ ସହ 3ଟି ମୋବାଇଲ ଓ 15 ଶହ ଟଙ୍କା ଜବତ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି, ବିହାର ମୋତିହାରି ଅଞ୍ଚଳର ରବିନ ମେହତା, ମୁକେଶ ଦାସ ଗଞ୍ଜାମ ଜିଲ୍ଲା ଧରାକୋଟ ଅଞ୍ଚଳର ଟୁଲୁ ସାହୁ।
ସେହିଭଳି କ୍ୟୁଏଟିର ସୁଚନା ଆଧାରରେ ଲକ୍ଷ୍ମୀସାଗର ମେଳଣ ପଡିଆରେ ଜଣେ ଲୋକାଲ ଗଞ୍ଜେଇ ଡିଲର ସହ ଜଣକୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ 30 କେଜି 100 ଗ୍ରାମ ଗଞ୍ଜେଇ ଜବତ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଲକ୍ଷ୍ମୀସାଗର ଲେଙ୍କା ସାହିର ପ୍ରଶନ ରାଉତ ରାୟ ଓ ଦିଗପହଣ୍ଡି, ଗଞ୍ଜାମର ଅଶୋକ ପାତ୍ର। ଏକ କାରରେ ଗଞ୍ଜେଇ ଡିଲ ହେଉଥିବା ପୋଲିସ ଚଢ଼ାଉ କରି ଦୁଇଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଛି ।

ରାଜଧାନୀରେ ଦିନକୁ ଦିନ ନିଶା କାରବାର ବଢିବାରେ ଲାଗିଛି। ଫଳରେ ଭୁବନେଶ୍ବରରେ ଅପରାଧିକ ମାମଲା ମଧ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ନିଶା କାରବାର ରୋକ ଲଗାଇବାକୁ ଆରମ୍ଭ କରିଛି ରଣନୀତି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ