ଭୁବନେଶ୍ବର: କମିସନରେଟ ପୋଲିସର ରାତି ଅଧିଆ ଚଢାଉ । ବିଭିନ୍ନ ଥାନା ଅଞ୍ଚଳର ଗେଷ୍ଟହାଉସ, ହୋଟେଲରେ ଚଢାଉ କରିଛି ପୋଲିସ । ଗତକାଲି(ସୋମବାର) ରାତିରେ ୫୮ଟି ହୋଟେଲରେ ଚେକିଂ କରିଛି ପୋଲିସ । ସରାଇ ଆକ୍ଟ ଆଧାରରେ ଖୋଳତାଡ ଜୋରଦାର କରାଯାଇଛି ।
କେତେ ଅତିଥି ହୋଟେଲ ବା ଗେଷ୍ଟ ହାଉସରେ ଥିଲେ ତଦନ୍ତ କରିଛି ପୋଲିସ । କାହାର ତଥ୍ୟ ସରାଇ ଆପରେ ଅପଲୋଡ କରିଛନ୍ତି ହୋଟେଲ ବା ଗେଷ୍ଟ ହାଉସ କର୍ତ୍ତୃପକ୍ଷ, କାହାର ଡିଟେଲ ଲୁଚାଇଛନ୍ତି, କେଉଁମାନେ ନିୟମ ମାନୁନାହାନ୍ତି ଏବଂ କେଉଁମାନେ ସରାଇ ଆପରେ ଅତିଥିଙ୍କର ତଥ୍ୟ ଦେଉନାହାନ୍ତି ସେନେଇ ଯାଞ୍ଚ କରିଛି ପୋଲିସ ।
ଏନେଇ ମାଷ୍ଟରକ୍ୟାଣ୍ଟିନ ରେଲୱେ ଷ୍ଟେସନ ପାଖାପାଖି ୧୪ଟି ହୋଟେଲ, ରାଜମହଲ ଅଶୋକ ନଗର ପାଖରେ ୨୭ଟି ହୋଟେଲ, ଲକ୍ଷ୍ମୀସାଗର ବୁଧେଶ୍ବରୀ କଲୋନୀର ୭ଟି ହୋଟେଲ, ଚନ୍ଦ୍ରଶେଖରପୁର ଅଞ୍ଚଳର ୧୦ଟି ହୋଟେଲ ଓ ଗେଷ୍ଟ ହାଉସ ମୋଟ ୫୮ଟି ସ୍ଥାନରେ ଯାଞ୍ଚ କରିଛି ପୋଲିସ । ଭୁବନେଶ୍ୱର ଡିସିପି କହିଛନ୍ତି ଯେ, ଆମେ ଦେଖୁଛୁ ଅନେକ ସମୟରେ ବାହାରୁ କିଛି ସନ୍ଦହଜନକ ଲୋକ ଆସି ରହୁଛନ୍ତି । ସେସବୁ ଲୋକଙ୍କ ଉପରେ ନଜର ରଖିବାକୁ ସମସ୍ତ ହୋଟେଲ କର୍ତ୍ତୃପକ୍ଷକୁ କୁହାଯାଇଛି ସେମାନଙ୍କ ତଥ୍ୟ ସରାଇ ଆପରେ ଦେବାକୁ । ଯଦ୍ବାରା ଅପରାଧ କରି ଲୁଚିଥିବାର ଅପରାଧି ସମ୍ପର୍କରେ ଜାଣିହେବ ।'
ଇଟିଭି ଭାରତ, ଭୁବନେଶ୍ବର