ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ଆକ୍ସନ ମୁଡରେ କମିଶନରେଟ ପୋଲିସ । ରାଜଧାନୀରେ ଆତଙ୍କ ରାଜକୁ କବଜା କରିବା ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ । ସ୍ପେଶାଲ୍ ଡ୍ରାଇଭ୍ କରି ୪୮ ଘଣ୍ଟାରେ ବିଭିନ୍ନ ସ୍ଥାନରୁ 12 ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ କରିଛି ପୋଲିସ ।
ସହିଦ ନଗର ଥାନା, କ୍ୟାପିଟାଲ ଥାନା, ବଡଗଡ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା ୧୨ ଜଣଙ୍କୁ ଗିରଫ କରିବା ସହ ସୁନା ଓ ରୂପା ଅଳଙ୍କାର ଜବତ କରାଯାଇଛି। ସେମାନଙ୍କ ଠାରୁ ବାଇକ୍ ଓ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି ।
ଗତ ୪୮ ଘଣ୍ଟାରେ ଏହି ୩ଟି ଥାନା ଅଧିନରେ ବିଭିନ୍ନ ସ୍ଥାନରେ ଡକାୟତି ହୋଇଥିବାର ଅଭିଯୋଗ ହୋଇଥିଲା । ଯାହାକୁ ଭିତ୍ତି କରି ପୋଲିସ ଅପରାଧୀଙ୍କୁ ଗିରଫ କରିଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ଅଜୁ ବର୍ଦ୍ଧନ, ଅନିଲ ସାହୁ, ରଞ୍ଜନ ପ୍ରଧାନ, ବାବିଲି ଭୋଇ, ଅନିଲି ରାଉତ, ନରେଶ ବାରିକ, ମାନସ ଲେଙ୍କା, ରଞ୍ଜନ କୁମାର ପୃଷ୍ଟି, ସୂର୍ଯ୍ୟମଣି ଦାସ, ଦେବାଶିଷ ସ୍ୱାଇଁ, ତପନ ରାଉତରାୟ ଓ ସ୍ଵାଗତ ପଟ୍ଟନାୟକ ।
ତେବେ ଏମାନଙ୍କ ମଧ୍ୟରୁ ବଡଗଡ ଥାନା ପୋଲିସ 6 ଜଣଙ୍କୁ ଗିରଫ କରିଥିବାବେଳେ ସହିଦନଗର ଥାନା ପୋଲିସ 3 ଓ କ୍ୟାପିଟାଲ ଥାନା ପୋଲିସ 3 ଜଣଙ୍କୁ ଗିରଫ କରିଛି ।
ସୂଚନାଥାଉକି, ସପ୍ତାହେ ମଧ୍ୟରେ ରାଜଧାନୀର ବିଭିନ୍ନ ଥାନାରେ ୧୩ଟି ମାମଲାରେ ୩ଟି ବନ୍ଧୁକ, ୬୦ ମୋବାଇଲ ଫୋନ, ୩୦ଗ୍ରାମ ବ୍ରାଉନସୁଗାର୍ ଜବତ ହୋଇଥିବାବେଳେ 29 ଜଣ ଅପରାଧୀ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ