ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱ ସ୍ତରୀୟ ଚିଡ଼ିଆଖାନାକୁ ପରିଣତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଓଡ଼ିଶାର ପ୍ରଥମ ମଲ୍ଟି ପାର୍କିଂ ନନ୍ଦନକାନନରେ ନିର୍ମିତ କରାଯାଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନର ନୂତନ ଭାବେ ନିର୍ମିତ ହୋଇଥିବା ମଲ୍ଟି ପାର୍କିଂ ସ୍ଥଳକୁ ଆଜି ଉଦଘାଟନ କରାଯିବ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
35 କୋଟି 42 ଲକ୍ଷ 79 ହଜାର ଅର୍ଥ ରାଶିରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ । 4 ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ 583ଟି ଚାରି ଚକିଆ ଯାନ ରହିବାର ସୁବିଧା ରହିଛି । ପ୍ରତ୍ୟେକ ପାର୍କିଂ ମହଲା 5 ହଜାର 600 ବର୍ଗ ମିଟରରେ ନିର୍ମିତ ହୋଇଛି । ପାର୍କିଂର ଚତୁପାର୍ଶ୍ବରେ 2 ହଜାର ଦୁଇ ଚକିଆ ଯାନ ରହିବାର ସୁବିଧା ରହିଛି । ସାଇକେଲ 5 ଟଙ୍କା, ବାଇକ 20 ଟଙ୍କା, କାର 50 ଟଙ୍କା, ବସ 70 ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।
ଏହା 6 ଘଣ୍ଟା ସମୟ ସୀମା ମଧ୍ୟରେ ରଖାଯାଇଛି । ଏହି ମଲ୍ଟି ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜରେ ନିରୀକ୍ଷଣ କରାଯାଉଥିବା ବେଳେ, ଅଚାନକ କୌଣସି ନିଆଁ ଲାଗିବାର ଦୁର୍ଘଟଣାକୁ ଏଡାଇବା ପାଇଁ ସମସ୍ତ ମହଲାରେ ଅଗ୍ନି ନିର୍ବାପକ ଯନ୍ତ୍ରର ବ୍ୟବସ୍ଥା ରଖାଯାଇଛି । ଭୁବନେଶ୍ୱର ନନ୍ଦନକାନନର ମୁଖ୍ୟ ରାସ୍ତାର ଯାନବାହାନ ଭିଡ଼ କମାଇବା ପାଇଁ ଓ ଟ୍ରାଫିକ ନିୟନ୍ତ୍ରଣ ସୁବିଧା ପାଇଁ ଏହି ପ୍ରକଳ୍ପ ନିର୍ମିତ କରାଯାଇଛି ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ