ଭୁବନେଶ୍ବର: ଶ୍ରମିକଙ୍କ ଲାଗି ଖୁସି ଖବର । ନରେଗା ଶ୍ରମିକଙ୍କ ପରେ ଏବେ ନିର୍ମାଣ ଶ୍ରମିକଙ୍କ ପାଳି । କୋଭିଡରେ ସମସ୍ୟାରେ ପଡିଥିବା ନିର୍ମାଣ ଶ୍ରମିକଙ୍କ ଲାଗି ଆଜି(ଗୁରୁବାର) ସ୍ବତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । 385 କୋଟି ଟଙ୍କାର ଏହି ସ୍ବତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫.୩୦ଟାରେ ଭିସି ଯୋଗେ ଘୋଷଣା କରିବେ ।
ଶ୍ରମିକଙ୍କ ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାଜ୍ୟର ନିର୍ମାଣ ଶ୍ରମିକମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର କୋଭିଡ ସହାୟତା ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟର ୩୧୪ ଟି ବ୍ଲକର ନିର୍ମାଣ ଶ୍ରମିକମାନେ ଭିଡିଓ କନଫରେନସିଂ ଯୋଗେ ଯୋଡି ହେବେ । ଏପ୍ରିଲରୁ ଜୁନ ମାସ ପର୍ଯ୍ୟନ୍ତ 3 ମାସ ମଧ୍ୟରେ କାମ କରିଥିବା ଶ୍ରମିକମାନଙ୍କୁ ପ୍ରତ୍ୟେକ ଦିନର ମଜୁରି ସହିତ ଅତିରିକ୍ତ ଟଙ୍କା ପ୍ରଦାନ କରାଯିବ ।
ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ । ଦ୍ଵିତୀୟ ଲହରରେ ପ୍ରାୟ 50 ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିଥିବା ସରକାର ତଥ୍ୟ ସଂଗ୍ରହ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କର ଜବ କାର୍ଡ ଥିବାବେଳେ ସେମାନଙ୍କୁ ଓଡ଼ିଶାରେ ଅଟକାଇ କାମ ଦେବାକୁ ଲୋନ ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ । ନିର୍ମାଣ ଶ୍ରମିକଙ୍କୁ ମଧ୍ୟ 1500 ଟଙ୍କା ଲେଖାଏଁ ଦିଆଯିବ ବୋଲି ସୂଚନା ମିଳିଛି । ଏନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପଣ୍ଡିଆନ ସଞ୍ଚାଳନ କରିବେ । କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ଶ୍ରମ ସଚିବ, ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ