ଭୁବନେଶ୍ବର: ରାଜ୍ୟ ବିଜେଡି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିସି ଜରିଆରେ ଯୋଗ ଦେଇ ଅଭିଭାଷଣ ରଖିଛନ୍ତି ନବୀନ । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା’ମାନେ ହିଁ ଫୋକସରେ ରହିଛନ୍ତି ବୋଲି ଏହି ଅବସରରେ ସେ କହିଛନ୍ତି ।
ନବେ ଦଶକରେ ମା’ ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଐତିହାସିକ ନିଷ୍ପତ୍ତି ନେଇଥିଲେ । ସେହି ନିଷ୍ପତ୍ତିକୁ ଆହୁରି ଆଗକୁ ନେବାକୁ ପଡିବ । ତାକୁ ଆମେ ଆହୁରି ଆଗକୁ ନେଇ ପାଞ୍ଚାୟତ ଓ ପୌରାଞ୍ଚଳମାନଙ୍କରେ ପଚାଶ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛୁ । ମା’ ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ବୋଲି ମଧ୍ୟ ନବୀନ କହିଛନ୍ତି ।
ନେତୃତ୍ବ ନେବା ପାଇଁ ମା’ ମାନଙ୍କ ଜନ୍ମ । ଘରର ଦାୟିତ୍ଵ, ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ସେହି ମା’ ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି । ପ୍ରତିଟି ମା’ ଭିତରେ ଅଛି ନେତୃତ୍ଵ ନେବାର ଅଲୌକିକ ଦକ୍ଷତା । ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ମା’ ମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ 33% ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା’ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ 33% ସିଟରେ ମା’ ମାନଙ୍କୁ ଟିକେଟ ଦେଇଥିଲୁ । ଆମେ କଥା ନୁହେଁ କାମରେ ବିଶ୍ବାସ କରୁ । ବିନା ସୁଧରେ ଋଣ ହେଉ ବା 5ହଜାର କୋଟି ଟଙ୍କାର ସରକାରୀ କାମ, ମା’ ମାନଙ୍କ ପାଇଁ 7 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମା’ ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର, ରେଶନ କାର୍ଡ, ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କର୍ମଜୀବୀ ମହିଳା ନିବାସ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା’ ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ବୋଲି ନବୀନ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ