ଭୁବନେଶ୍ବର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ ଜାରି ରହିଛି । ଫଳରେ ବୁଲା ଗାଈ, ଗୋରୁ, କୁକୁର ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୁଲା ପଶୁ ଓ ପକ୍ଷୀଙ୍କ ଖାଦ୍ୟ ପାଇଁ 60 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ନବୀନ ।
ପଶୁ ପ୍ରେମୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଲା ପଶୁ ପକ୍ଷୀଙ୍କୁ ନେଇ ସେ କେତେ ଯେ ସମ୍ବେଦନଶୀଳ ଏହାର ଉଦାହରଣ ଅନେକ ଥର ରାଜ୍ୟବାସୀ ଦେଖିଛନ୍ତି । ଅନେକ ସମୟରେ ନବୀନଙ୍କୁ ନିଜ ପୋଷ୍ୟ କୁକୁରଙ୍କ ସହ ସମୟ ବିତାଉଥିବାର ଦେଖିବାକୁ ମିଳେ । କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଲକଡାଉନ ହୋଇଛି । ଫଳରେ ବୁଲା ଗାଈ, ଗୋରୁ ଅନେକ ସମସ୍ୟାରେ ପଡୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ, 48 ଟି ମ୍ୟୁନିସପାଲଟି ଓ 61 ଟିଏନଏସି ପାଇଁ ଷାଠିଏ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର କରିଛନ୍ତି ।
ଘୋଷଣା କରାଯାଇଥିବା ଅର୍ଥରେ ପ୍ରଶାସନ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମ ଏଥିପାଇଁ ଦୈନିକ 20 ହଜାର ଟଙ୍କା, କଟକ, ସମ୍ବଲପୁର,ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ 10 ହଜାର ଟଙ୍କା ଖର୍ଚ୍ଚ କରିବେ । ମ୍ୟୁନିସପାଲଟିମାନେ ଦୈନିକ 5 ହଜାର ଟଙ୍କା ଓ ଏନଏସି ମାନେ ଦୈନିକ 2 ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଅନ୍ୟ ସାଧାରଣ ଲୋକ ଘର ପାଖରେ ରହୁଥିବା ପଶୁ ପକ୍ଷୀଙ୍କ ଲାଗି ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ତେବେ କୋଭିଡ କଟକଣା ମାନି ଏହା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ