ଭୁବନେଶ୍ବର: ରାଜ୍ୟରେ କାୟା ମେଲାଇ ଚାଲିଛି କୋରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଅହେତୁକ ବଢି ଚାଲିଛି । ଏଥିମଧ୍ୟରେ ମଙ୍ଗଳବାର ସନ୍ଧ୍ୟାରେ କୋଭିଡ ସ୍ଥିତିର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।
ଏହି ସମୀକ୍ଷା ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଜିଲ୍ଲା ମାନଙ୍କରେ ବଢୁଥିବା ସଂକ୍ରମିତ ହାରରେ ରୋକ ଓ ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ବୈଠକରେ ଆଲୋଚନା ହେବ ।
ସଂକ୍ରମଣ ସଂଖ୍ୟା ବୃଦ୍ଧି ଯୋଗୁଁ ରାଜ୍ୟର ଅଧା ଜିଲ୍ଲା ରେଡ ଜୋନରେ ପରିଣତ ହୋଇସାରିଲାଣି । ଏଭଳି ସ୍ଥିତିରେ କୋରୋନା ସହ ମୁକାବିଲା କରିବା ନେଇ ଆଜିର ବୈଠକ ଗୁରୁତ୍ବପୂର୍ଣ୍ଣ । ସନ୍ଧ୍ୟା 5.30ରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ମୁକାବିଲା ନେଇ ଟିପ୍ପ ଦେବେ ନବୀନ ।
ଏହା ସହ ମେ 1ରୁ ସମୂହ ଟୀକାକରଣ ଆରମ୍ଭ ହେଉଥିବାରୁ ନୂଆ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବେ ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡ଼ିଜି ଅଭୟ, ଉନ୍ନୟନ କମିଶନର ପ୍ରଦୀପ ଜେନା, ଏସିଏସ ପ୍ରଦୀପ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ