ଭୁବନେଶ୍ବର : ଦୂର ହେବ ପେନସନଭୋଗୀଙ୍କ ସମସ୍ୟା । ଘରେ ବସି କରି ପାରିବେ ପରିଚୟପତ୍ର ଓ ଲାଇଫ ସାର୍ଟିଫିକେଟ ଦାଖଲ । ମୁଖ୍ୟମନ୍ତ୍ରୀ ଆଜି(ବୁଧବାର) ପେନସନଭୋଗୀଙ୍କ ପାଇଁ ଡିଜିଟାଲ ଲାଇଫ ସାର୍ଟିଫିକେଟର ଶୁଭାରମ୍ଭ କରିଛନ୍ତି । ପେନସନଭୋଗୀଙ୍କ ପାଇଁ ଏଭଳି ଡିଜିଟାଲ ସେବା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନବୀନ କହିଛନ୍ତି ଯେ, 5T ଏବଂ ମୋ ସରକାର ଦ୍ଵାରା ପେନସନଭୋଗୀଙ୍କ ସମସ୍ୟା ଦୂର ହେବ ।ନୂତନ ପଦ୍ଧତିରେ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଭିଡିଓ-ଯାଞ୍ଚ୍ ପ୍ରକ୍ରିୟା ମାଧ୍ୟମରେ ପେନସନଭୋଗୀଙ୍କ ପରିଚୟ ପତ୍ର ଏବଂ ଜୀବନ ପ୍ରମାଣପତ୍ର ଦାଖଲ କରିପାରିବେ ।
ମୋବାଇଲ ବ୍ୟବହାର କରି କୌଣସି ସରକାରୀ କାର୍ଯ୍ୟାଳୟ ନ ଯାଇ ସେମାନେ ପରିଚୟ ଏବଂ ଲାଇଫ୍ ସାର୍ଟିଫିକେଟ ଡିଜିଟାଲ ଦାଖଲ କରିପାରିବେ । ପେନସନଭୋଗୀଙ୍କ ପାଇଁ ଏହା ଖୁବ ସହାୟକ ହେବ । ଏହି ସୁବିଧା ସାରା ରାଜ୍ୟରେ ଥିବା ‘ମୋ ସେବା କେନ୍ଦ୍ର’ରେ ମଧ୍ୟ ଉପଲବ୍ଧ ହେବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଇ-ଡାଏରୀର ମଧ୍ୟ ଉନ୍ମୋଚନ କରିଛନ୍ତି । ଯାହା ଦ୍ଵାରା ସରକାରୀ ଡାଏରୀରେ ଥିବା ସମସ୍ତ ସୂଚନା ମୋବାଇଲ୍ ଫୋନ୍ ମାଧ୍ୟମରେ ନାଗରିକମାନେ ସହଜରେ ଏବଂ ସୁବିଧାଜନକ ଭାବେ ପାଇପାରିବେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ