ଭୁବନେଶ୍ବର: ହକରଙ୍କୁ ମିଳିଲା ହକ । ରାଜ୍ୟରେ ପଞ୍ଜୀକୃତ ହକରଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସହାୟତାର (special COVID assistance to newspaper hawkers) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଖବରକାରଜ ହକରଙ୍କୁ ୬ ହଜାର ଲେଖାଏଁ କୋଭିଡ ସହାୟତା । ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଯୋଗାଇ ଦିଆଯିବ ଏହି ସହାୟତା । ଭିସି ଯୋଗେ ସହାୟତା କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଜିଲ୍ଲାସ୍ତରୀୟ ହକରଙ୍କ ପାଇଁ ୱାର୍କସିଡ ପ୍ରସ୍ତୁତ କରାଯିବ । ସମାଜରେ ସବୁବର୍ଗର ଲୋକଙ୍କ ବିକାଶ ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ । ହକରଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କାର ସହାୟତା ମିଳିବ । ସ୍ବାଭାବିକ ମୃତ୍ୟୁ ହେଲେ ୧ ଲକ୍ଷ ଟଙ୍କା ସହାୟତା ଓ ଅକ୍ଷମ ହେଲେ ଦେଢ ଲକ୍ଷର ଟଙ୍କାର ସହାୟତା ପ୍ରଦାନ କରାଯିବ । ଉଭୟ ଅଙ୍ଗ ହରାଇଥିବା ହକରମାନଙ୍କୁ ୮୦ ହଜାର ଓ ଗୋଟିଏ ଅଙ୍ଗ ହରାଇଥିବା ହକରଙ୍କୁ ୪୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଏହି ସହୟତାରେ ୭୩୦୦ ପଞ୍ଜୀକୃତ ହକର ଉପକୃତ ହେବେ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪.୩୮ କୋଟି ଟଙ୍କା ଦିଆଯାଇଛି ।
ହକରଙ୍କ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ସେମାନଙ୍କୁ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିବା ସହିତ ଅଣସଂଗଠିତ କ୍ଷେତ୍ର ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି । ଏହି ସହାୟତା ପାଇଁ ରାଜ୍ୟର ୭୩୦୦ ହକର ମାନଙ୍କ ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଡିଜିଟାଲ ଡାଟା ବେସ୍ ପ୍ରସ୍ତୁତ କରାଯାଇ ପଞ୍ଜୀକୃତ କରାଯାଇଛି । ପ୍ରତ୍ୟେକ ପଞ୍ଜୀକୃତ ହକର ୬୦୦୦ ଟଙ୍କା ଲେଖାଏ ସହାୟତା ପାଇଛନ୍ତି । ସମୁଦାୟ ୪ କୋଟି ୩୮ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ।
ସହୟତା ଶୁଭାରମ୍ଭରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ହକରମାନେ ହେଉଛନ୍ତି ଖବର କାଗଜ ଓ ପାଠକ ମାନଙ୍କ ମଧ୍ୟରେ ସେତୁ । ଖରା, ବର୍ଷା, ଶୀତ ସବୁ ସମୟରେ ଏପରିକି କୋଭିଡ ମହାମାରୀ ସମୟରେ ମଧ୍ୟ ସେମାନେ ନିଜ ଦୁଃଖ କଷ୍ଟକୁ ଭୁଲି ପାଠକମାନଙ୍କୁ ଖବରକାଗଜ ଯୋଗାଇଛନ୍ତି । ଡିଜିଟାଲ ଯୁଗରେ ମଧ୍ୟ ଖବର କାଗଜର ଚାହିଦା କମି ନାହିଁ ବୋଲି ସେ କହିଛନ୍ତି । କୋଭିଡ ସହାୟତା ସହିତ ହକରଙ୍କୁ ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡରେ ସାମିଲ କରାଯାଇ ସାହାଯ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକସେବା ଭବନ କନ୍ଭେନସନ ହଲ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଜନକଲ୍ୟାଣ କାର୍ଯ୍ୟକ୍ରମ କରି ଓଡିଶାରେ ପ୍ରଗତୀର ନୂଆ ଇତିହାସ ଲେଖିଛନ୍ତି । ଆର୍ଥିକ ଦୂରାବସ୍ଥାର ସମ୍ମୁଖୀନ ହେଉଥିବା ହକରମାନେ ଏହାଦ୍ବାରା ଉପକୃତ ହେବେ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏଥିରେ ଯୋଗ ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ସାରା ଦେଶରେ ଅଭିନବ ଓ ଅନନ୍ୟ ।
କାର୍ଯ୍ୟକ୍ରମରେ ଭୁବନେଶ୍ବରରୁ ଗୋବର୍ଦ୍ଧନ ଦାସ, କଟକରୁ ରତ୍ନାକର ପ୍ରଧାନ, ସମ୍ବଲପୁରରୁ କୃଷ୍ଣଚନ୍ଦ୍ର ନାଥ ଓ ବ୍ରହ୍ମପୁରରୁ ସନ୍ତୋଷ ପାଣିଗ୍ରାହୀ ପ୍ରମୁଖ ହକରମାନେ ସେମାନଙ୍କର ଅନୁଭବ ବ୍ୟକ୍ତ କରିଛନ୍ତି ଆମେ ହକର ଭାଇମାନେ ଅନେକ ଅର୍ଥାଭାବର ସମ୍ମୁଖୀନ ହୋଇଛୁ । ମୁଖ୍ୟମନ୍ତ୍ରୀ ଆମ ଦୁଃଖ ବୁଝିଥିବାରୁ ଆମେ ହୃଦୟରୁ ତାଙ୍କ ପ୍ରତି ଆମର କୃତଜ୍ଞତା ପ୍ରକାଶ କରୁଥିବା କହିଛନ୍ତି ହକରମାନେ ।
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିିଭି ଭାରତ