ଭୁବନେଶ୍ବର: କୋରୋନା ପାଇଁ ସାରା ରାଜ୍ୟରେ ଏବେ ଲକଡାଉନ ଜାରି ରହିଛି । ସେଥିପାଇଁ ବିଭିନ୍ନ ଘରୋଇ ସ୍କୁଲ ଗୁଡିକୁ ସ୍କୁଲ ଫି ହ୍ରାସ କରିବାକୁ ନିବେଦନ କରିଛନ୍ତି । ଅଧିକାଂଶ କର୍ମକ୍ଷେତ୍ର ବନ୍ଦ ରହିଥିବାରୁ କର୍ମଚାରୀମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ତେଣୁ କର୍ମଚାରୀଙ୍କ ସ୍ବାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏହି ଅପିଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟରରେ ଉଲ୍ଳେଖ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟରରେ ଲେଖିଛନ୍ତି , ‘COVID19 ଲକଡାଉନ ଏବଂ ରାଜ୍ୟରେ ଅର୍ଥନୈତିକ ଚାପକୁ ଦୃଷ୍ଟିରେ ରଖି, ଘରୋଇ ସ୍କୁଲ ମାନଙ୍କୁ ଏପ୍ରିଲରୁ ଜୁନ ମଧ୍ୟରେ ସ୍କୁଲ ଫି ହ୍ରାସ କରିବା ପାଇଁ ବିଚାର କରିବାକୁ ମୁଁ ଅନୁରୋଧ କରୁଛି । ’ ଏହା ସହ ସରକାରଙ୍କ ତରଫରୁ ସମସ୍ତ ବେସରକାରୀ ଶିକ୍ଷାନୁଷ୍ଠାନକୁ ସ୍କୁଲ ଫି ଛାଡ କିମ୍ବା, କମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି | ଏହା ଆୟ ପ୍ରଭାବିତ ହୋଇଥିବା ପିତାମାତାଙ୍କୁ ସାହାଯ୍ୟ କରିବ ବୋଲି ସେ କହିଛନ୍ତି ।
ବର୍ତ୍ତମାନ ରିଆଡମିଶନ ସମୟ ହୋଇଥିବାରୁ ବିଭିନ୍ନ ଘରୋଇ ସ୍କୁଲ ପକ୍ଷରୁ ରି-ଆଡମିଶନ ପାଇଁ ଟଙ୍କା ପୈଠ କରିବା ପାଇଁ ଅଭିଭାବକ ମାନଙ୍କ ପାଖକୁ ମେସେଜ ଆସିଥିବା ଦେଖିବାକୁ ମିଳିଛି । ଲକଡାଉନ ଥିବାରୁ କର୍ମଚାରୀମାନେ ଘରୋଇ ସ୍କୁଲରେ ପଢୁଥିବା ନିଜ ପିଲାଙ୍କ ଫି ଦେବାକୁ ଅସମର୍ଥ ହେବେ । ଏଭଳି ପରିସ୍ଥିତିରେ ସହାନୁଭୂତି ଦେଖେଇବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ