ଭୁବନେଶ୍ବର: ବର୍ଷା ଓ ବନ୍ୟା ପ୍ରଭାବିତ ଲୋକଙ୍କ ପାଇଁ ସରକାରଙ୍କ ରିଲିଫ ଘୋଷଣା । ପ୍ରଭାବିତଙ୍କୁ 7 ଦିନର ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର, ବଲାଙ୍ଗୀର ଜିଲ୍ଲାର ପ୍ରଭାବିତ ଲୋକଙ୍କୁ ରିଲିଫ ଦିଆଯିବ। ଲୋକଙ୍କ ପାଇଁ ଦୈନିକ 60 ଓ ଛୋଟ ପିଲାଙ୍କୁ 45 ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ଏପଟେ ମୌସୁମୀ ବର୍ଷାରେ ଉବୁଟୁବୁ ହେଉଛି ଅଧା ଓଡିଶା। ସମ୍ଭାବ୍ୟ ବନ୍ୟା ସ୍ଥିତି ବି ଚିନ୍ତା ବଢ଼ାଇଛି। ଆସନ୍ତା ୧୫ ତାରିଖ ସକାଳୁ ମହନଦୀକୁ ଛଡ଼ାଯିବ ୧୦ ଲକ୍ଷ କ୍ୟୁସେକ ଜଳ। ଉପକୂଳବର୍ତ୍ତୀ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ। ଖୋର୍ଦ୍ଧା, ପୁରୀ, କଟକ , ଜଗତସିଂହପୁର, ନୟାଗଡ଼, କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବା ସହ ନଦୀ କୂଳରେ ପେଟ୍ରୋଲିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଲୋକସେବା ଭବନରେ ଆଜି ସ୍ଥିତିର ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଏନେଇ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ