ଭୁବନେଶ୍ବର: ଦୀର୍ଘ ସାତ ଦିନ ଧରି ହସ୍ତଶିଳ୍ପ ଓ କୁଟୀରଶିଳ୍ପ ବିଭାଗ ପକ୍ଷରୁ ରାଜଧାନୀରେ ଚାଲିଥିବା ‘ମୂର୍ତ୍ତିକା’ ମେଳା ଶେଷରେ ଉଦଯାପିତ ହୋଇଛି । କୋରୋନା ମହାମାରୀ ସମୟରେ ସ୍ମାର୍ଟସିଟିରେ ପ୍ରଥମଥର ପାଇଁ ଏଭଳି ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା । କୋରୋନା କଟକଣା ସତ୍ତ୍ବେ ଆଶାନୁରୂପ ବ୍ୟବସାୟ ହୋଇଥିବା କହିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ ।
ପ୍ରତିବର୍ଷ ହସ୍ତଶିଳ୍ପ ଓ କୁଟୀରଶିଳ୍ପ କାରିଗରଙ୍କୁ ବଜାର ଦେବା ଓ ତାଙ୍କ ସାମଗ୍ରୀର ଉତ୍ତମ ବ୍ୟବସାୟ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୁଏ ଏହି ଉତ୍ସବ । ଚଳିତ ବର୍ଷ କିନ୍ତୁ ହଁ ନାହିଁ ଭିତରେ ଏହି ମେଳା ଆୟୋଜନ ହୋଇଥିଲା ।
ହେଲେ ଶେଷ ଦିନ ସୁଦ୍ଧା ଏହି ମେଳାର ସଫଳତା ଉଭୟ କାରିଗର ଓ ବିଭାଗୀୟ ଅଧିକାରୀ ମାନଙ୍କୁ ବେଶ ଆତ୍ମସନ୍ତୋଷ ଦେଇଥିବା ଜଣାପଡିଛି । ବିଗତ ବର୍ଷ ମାନଙ୍କ ତୁଳନାରେ ଅଧିକ ସାମଗ୍ରୀର ସମ୍ଭାର ଏଥିରେ ଦେଖିବାକୁ ମିଳି ନଥିଲେ ହେଁ ଯେଉଁସବୁ ଘରକରଣା,ସାଜ୍ଜସଜା ସାମଗ୍ରୀ ଥିଲା ତାହାକୁ ରାଜଧାନୀର ବାସିନ୍ଦା ମାନେ ବେଶ ଆଗ୍ରହର ସହକାରେ ଆପଣାଇଥିଲେ ।
ଫଳରେ ଲକଡାଉନ ସମୟରେ ହାତବାନ୍ଧି ବସିଥିବା କାରିଗରମାନେ ଏଠାରେ କିଛି ଭଲ ବ୍ୟବସାୟ କରି ପୁଣି ନିଜ କାର୍ଯ୍ୟକୁ ଆଗକୁ ବଢାଇବାକୁ ସାହାସ ପାଇଥିଲେ । ମେଳା ଶେଷ ଦିନ ପୂର୍ବରୁ କୋଟିଏ ଆଠ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା କହିଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ଯାହାକି ଆକଳନ ଠାରୁ ବେଶ ଅଧିକ । ଆଗାମୀ ବର୍ଷ ମଧ୍ୟ ବିଭାଗ ପକ୍ଷରୁ ଆହୁରି ଭଲ କରିବାକୁ ପ୍ରୟାସ କରାଯିବ ବୋଲି ବିଭାଗୀୟ ନିର୍ଦ୍ଦେଶକ ବସନ୍ତ କୁମାର ଦାସ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ