ଭୁବନେଶ୍ବର: ଦୁଇ ବର୍ଷ ପରେ ରାଜ୍ୟରୁ 388 ଜଣ ସଂଖ୍ୟାଲଘୁ ଶ୍ରଦ୍ଧାଳୁ ହଜ ଯାତ୍ରାରେ ଯିବେ । ଏନେଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତ୍ତା ମାଧ୍ୟମରେ ଚଳିତ ବର୍ଷ ହଜ ଯାତ୍ରାରେ ଯାଉଥିବା ଯାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କର ସଫଳ ହଜ ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଚଳିତ ବର୍ଷ ରାଜ୍ୟ ହଜ କମିଟି ଜରିଆରେ 388 ଜଣ ହଜ ଯାତ୍ରା ପାଇଁ ମନୋନୀତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 224 ଜଣ ପୁରୁଷ ଓ 164 ଜଣ ମହିଳା ହଜ ଯାତ୍ରା କରୁଛନ୍ତି । ସରକାରଙ୍କ ତରଫରୁ ହଜ ଯାତ୍ରୀଙ୍କ ସୁବିଧା ନିମନ୍ତେ ଖାଦିମ- ଉଲ- ହୁଜ୍ଜାଜ (Khadim-ul Hujjaj) ଭାବେ ଯାଉଥିବା 3 ଜଣ ସରକାରୀ କର୍ମଚାରୀ ମଧ୍ୟ ଅନ୍ତର୍ଭୂକ୍ତ ରହିଛନ୍ତି ।
ମନୋନୀତ ହଜ ଯାତ୍ରୀଙ୍କୁ ହଜ କୀଟ କ୍ରୟ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ 10 ହଜାର ଟଙ୍କାର ଚେକ ପ୍ରଦାନ କରାଯିବା ସହ ଓଡ଼ିଆ ହଜ ଗାଇଡ ମଧ୍ୟ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ମୁନ୍ନା ଖାଁ, ବିଧାୟକ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟ ହଜ କମିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ଅକଦସ ପ୍ରମୁଖ ଉପସ୍ଥିତ ଥିଲେ।
ଇଟିଭି ଭାରତ, ଭୁବନେଶ୍ବର