ଭୁବନେଶ୍ବର: ମହାନ ସଙ୍ଗୀତଜ୍ଞ ତଥା ପଦ୍ମଶ୍ରୀ ଶାନ୍ତନୁ ମହାପାତ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ବିଟ କରି ସେ ଦୁଃଖ ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଦେହାନ୍ତ ତାଙ୍କୁ ଦୁଃଖିତ କରିଛି । ସ୍ବତନ୍ତ୍ର ସଙ୍ଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଚିଲିକା ତୀରେ, ଅଗ୍ନିପରୀକ୍ଷା ଓ ମେଘମୁକ୍ତି ଆଦି ଚଳଚ୍ଚିତ୍ରରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ ରହିବ । ଏଥିସହ ମୁଖ୍ୟମନ୍ତ୍ରୀ ତାଙ୍କ ଆତ୍ମର ସଦଗତି କାମନା କରିବା ସହ ଶୋକସନ୍ତପ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ। ଏଥିସହ ମୁଖ୍ୟମନ୍ତ୍ରୀ ଶାନ୍ତନୁଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ଘୋଷଣା କରିଛନ୍ତି ।
ସୂଚନାଯୋଗ୍ୟ, ଗତକିଛି ଦିନ ଶାନ୍ତନୁ ମହାପାତ୍ର ନିମୋନିଆ ରୋଗରେ ପୀଡିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ 82 ବର୍ଷ ହୋଇଥିବାବେଳେ ଶାନ୍ତନୁ ପଦ୍ମଶ୍ରୀ ସମ୍ମାନିରେ ସମ୍ମାନିତ ହୋଇଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ