ଭୁବନେଶ୍ୱର: ପୁଣି କାଳିଆକୁ ନେଇ ଆରମ୍ଭ ହେଲା କଳି । ଆସନ୍ତାକାଲି ହିତାଧିକାରୀଙ୍କୁ ଦ୍ଵିତୀୟ କିସ୍ତି ଟଙ୍କା ମିଳିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ହେଲେ ଏହା ଉପରେ ରୋକ ଲଗାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଯାହା ଫଳରେ ଟଙ୍କା ବଣ୍ଟା ନେଇ ଏବେ ଅନିଶ୍ଚିତତା ଦେଖାଦେଇଛି । ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ତାଲିକା ବାବଦରେ କୃଷି ବିଭାଗ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ସିଇଓ । ଯାହାକୁ ବିଜେପିର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ବାଢ଼ିଛି ବିଜେଡି ।
ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି କି ‘ଯଦି ସ୍ପଷ୍ଟୀକରଣ ମାଗିବାର ଥିଲା ଆଗରୁ ମାଗିପାରିଥାନ୍ତେ । ଏତେ ଦିନ ଧରି କାହିଁକି ଚୁପ ବସିଥିଲେ ? 20 ଦିନ ହେଲା ଆମେ ନିର୍ବାଚନ ଅଧିକାରୀଙ୍କ ପାଖକୁ ଦଉଡ଼ୁଛୁ । ବିଜେପିଚାପରେ ନିର୍ବାଚନ ଅଧିକାରୀ କାଳିଆ ଟଙ୍କା ଉପରେ ରୋକ ଲଗାଇଛନ୍ତି । ଏବେ ତରବରିଆ ଭାବେ ମୁହଁବଞ୍ଚାଣ ନୀତି ଆପଣେଇଛନ୍ତି’। ଏନେଇ ଦଳ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ଦେବ ବୋଲି ସେ ଦର୍ଶାଇଛନ୍ତି ।
ଅନ୍ୟପଟେ କାଳିଆ ଟଙ୍କା ବଣ୍ଟାରେ ଦଳୀୟ ହସ୍ତକ୍ଷେପରୁ ଅସ୍ବୀକାର କରିଛି ବିଜେପି । ବିଜେପି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଏକ ପ୍ରେସମିଟ ଡାକି କହିଛନ୍ତି ଯେ ‘ରାଜ୍ୟ ସରକାର ବିଜେପି ନାଁରେ ଅପପ୍ରଚାର ଚଳାଉଛନ୍ତି । ପ୍ରକୃତରେ ଏ ସରକାର ଚାଷୀଙ୍କୁ ଟଙ୍କା ଦେବାରେ ଅସମର୍ଥ । କାହିଁକି ନାଁ ତାଙ୍କ ପାଖରେ ହିତାଧିକାରୀଙ୍କ ତାଲିକା ନାହିଁ । ଅନ୍ୟପଟେ ଯୋଜନା ବାବଦରେ ବଜେଟରେ କୌଣସି ଅର୍ଥ ବରାଦ ହୋଇନଥିବାରୁ ଟଙ୍କା କେଉଁଠୁ ଆସୁଛି ଏହା ଏକ ବଡ଼ ପ୍ରଶ୍ନବାଚୀ । ଗତକାଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଏହା ସ୍ପଷ୍ଟ କରିଛି’।
ଏଥିସହ କାଳିଆ ନାଁରେ ସରକାର ଏକ ମିଥ୍ୟା ଯୋଜନା ପ୍ରସ୍ତୁତ କରି ଲୋକଙ୍କୁ ଭ୍ରମିତ କରିଆସୁଥିଲେ ବୋଲି ଅଭିଯୋଗ କରିଛି ବିଜେପି । ଏ ଉଦ୍ୟମରେ ବିଜେଡି ସଫଳ ହୋଇପାରିଲା ନାହିଁ । ଏଣୁ ବିଜେପି ଉପରେ ଦୋଷ ଲଦୁଛନ୍ତି । ହେଲେ ବାସ୍ତବରେ ସତ୍ୟର ଜୟ ହୋଇଛି ବୋଲି କହିଛନ୍ତି ଲେଖାଶ୍ରୀ ।
ଭୁବନେଶ୍ୱରରୁ ସଞ୍ଜୀବ ରାୟ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ