ନୂଆଦିଲ୍ଲୀ: କଞ୍ଚା ଝୋଟ (Raw Jute)ର ବଜାର ଚାହିଦା ଓ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର (Central Government) ଏହା ଉପରେ ଥିବା ମୂଲ୍ୟ କଟକଣାକୁ ଚଳିତମାସ ୨୦ ତାରିଖରୁ ଉଠାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ ଏହି ବ୍ୟବସ୍ଥା ଆଜି ଠାରୁ କାର୍ଯ୍ୟକାରୀ ହୋଇଛି ।
କଞ୍ଚା ଝୋଟ ବ୍ୟବହାରକାରୀ ବିଭିନ୍ନ ମିଲ ଓ ସଂସ୍ଥାଙ୍କ ପାଇଁ ସରକାରର ୨୦୨୧ ସେପ୍ଟେମ୍ବର ୩୦ ତାରିଖରୁ ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ କରିଥିଲେ । ଏଥିରେ ଟିଡିଏସ ୫ ଗ୍ରେଡର କଞ୍ଚା ଝୋଟର କୁଇଣ୍ଟାଲ ପିଛା ମୂଲ୍ୟ ୬ ହଜାର ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିଲା ।
ଝୋଟ କମିଶନର ଦପ୍ତର ପକ୍ଷରୁ ଦେଶରେ ଝୋଟର ମୂଲ୍ୟ ସମ୍ପର୍କରେ ଉଭୟ ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ବ୍ୟବସ୍ଥାରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏହି ତଥ୍ୟରୁ ଜଣାପଡିଲା ଯେ ବର୍ତ୍ତମାନ ଯେଉଁ ମୂଲ୍ୟରେ ଝୋଟ ବିକ୍ରି ହେଉଛି ତାହା ସରକାରୀ ଧାର୍ଯ୍ୟ କରିଥିବା ମୂଲ୍ୟର ପ୍ରାୟ ପାଖାପାଖି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଝୋଟର ସର୍ବୋଚ୍ଚ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାକୁ ଉଠାଇ ନେଇଛନ୍ତି ।
ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଚାଷୀ, ମିଲ ଓ ଝୋଟ ଏମଏସଏମଇ ଉଦ୍ୟୋଗ ଉପକୃତ ହେବେ । ଝୋଟ ଉଦ୍ୟୋଗରେ ସାତଲକ୍ଷରୁ ଅଧିକ ଲୋକ କାମ କରୁଥିବାବେଳେ ପ୍ରାୟ ୪୦ ଲକ୍ଷ ଚାଷୀ ଝୋଟ ଚାଷ କରୁଛନ୍ତି । ଝୋଟର ମୂଲ୍ୟ ହ୍ରାସ ଫଳରେ ଝୋଟରୁ ପ୍ରସ୍ତୁତ ସାମଗ୍ରୀ ରପ୍ତାନୀ ବାଣିଜ୍ୟ ବଢିବ ବୋଲି ଆଶା କରାଯାଉଛି । ଝୋଟରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦ୍ୟୋଗର ମୋଟ କାରବାରର ପ୍ରାୟ ୩୦ ଶତାଂଶ ରପ୍ତାନୀ କରାଯାଇଥାଏ ।