ଭୁବନେଶ୍ବର: ଦୁଇ ଦିନ ବାତ୍ୟା ପ୍ରଭାବିତ ଅଞ୍ଚଳରେ ଅନୁଧ୍ୟାନ ପରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ଭେଟିଛି କେନ୍ଦ୍ରୀୟ ଟିମ୍ । ଲୋକସେବା ଭବନରେ କେନ୍ଦ୍ରୀୟ-ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ବାତ୍ୟା ୟାସ ଓ ଏହା ପ୍ରଭାବରେ ଆସିଥିବା ବନ୍ୟାଞ୍ଚଳ 2 ଦିନ ଧରି ପରିଦର୍ଶନ କରିଛି କେନ୍ଦ୍ରୀୟ ଟିମ୍। ପରିଦର୍ଶନ ପରେ ଆଜି(ମଙ୍ଗଳବାର) ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ଭେଟିଛି ଦଳ । ଏହାସହ SRC ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛି । ବାତ୍ୟା ଓ ବନ୍ୟାର ସ୍ଥାୟୀ ପ୍ରତିକାର ବାବଦରେ ବୈଠକରେ ଆଲୋଚନା ହୋଇଛି ।
ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କ୍ଷୟକ୍ଷତି ନେଇ ପ୍ରାଥମିକ ରିପୋର୍ଟ ଆସିଛି । ଆସନ୍ତା କିଛିଦିନ ଭିତରେ ସମ୍ପୂର୍ଣ୍ଣ ରିପୋର୍ଟ ଆସିଯିବ । ରିପୋର୍ଟ ଆସିବା ପରେ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପକ୍ଷରୁ ଅବଗତ କରାଯିବ । ବାତ୍ୟା ମୁକାବିଲା ଲାଗି ଦୁଇଟି ଦୀର୍ଘ ସ୍ଥାୟୀ ଯୋଜନାରେ ସହଯୋଗ କରି ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ରଖିଛି । ଏନେଇ ଡିପିଆର ପ୍ରସ୍ତୁତ ଚାଲିଛି । ରାଜ୍ୟ ଏହାକୁ କେନ୍ଦ୍ର ନିକଟକୁ ପଠାଇବ । ରାଜ୍ୟ ଦୁଇଟି କଥା ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରିଛି । Disaster resilience power ସିଷ୍ଟମ ଓ coastal storm surge protection ପାଇଁ ଅନୁରୋଧ କରିଛି ରାଜ୍ୟ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ