ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଙ୍ଗଠନର ସମୀକ୍ଷା ସହିତ କେନ୍ଦ୍ର ପକ୍ଷରୁ ବିଭିନ୍ନ ଯୋଜନା ନେଇ ଯେଉଁ ଅର୍ଥ ଆସୁଛି ତାର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ରର ବିଭିନ୍ନ ବିଭାଗର ମନ୍ତ୍ରୀ ମାନେ ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ମଞ୍ଜୁର କରାଯାଉଛି । ହେଲେ ମଞ୍ଜୁର କରାଯାଉଥିବା ଅର୍ଥ ହିତାଧିକାରୀଙ୍କ ପାଖରେ କେତେ ମାତ୍ରାରେ ପହଁଞ୍ଚିଛି ତାର ସମୀକ୍ଷା କରିବେ କେନ୍ଦ୍ର ମନ୍ତ୍ରୀ । ଯଦି କେହି ଯୋଗ୍ୟ ହିତାଧିକାରୀ ସେଥିରୁ ବଞ୍ଚିତ ହେଉଛନ୍ତି ତେବେ କାହିଁକି ଯୋଜନା ତାଙ୍କ ପାଖରେ ପହଁଞ୍ଚି ପାରୁନି ସେ ନେଇ ସରକାରୀ ସ୍ତରରେ ଆଲୋଚନା କରିବେ ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟରେ ବହୁତ ଦୁର୍ନୀତି ହୋଇଛି । ଏଥିରେ ବିଜୁ ଜନତା ଦଳର କର୍ମୀମାନେ ମଧ୍ୟ ଲାଭାର୍ଥୀ ହେଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ କେନ୍ଦ୍ର ଅନୁଦାନ ଗୁଡିକ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ସେନେଇ ଜିଲ୍ଲୀ ସ୍ତରରେ ସମୀକ୍ଷା କରାଯିବାର ଯୋଜନା ରହିଛି ।
ସେପଟେ କେନ୍ଦ୍ର ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା (Union Tribal Affairs Minister Arjun Munda) ୩ ଦିନିଆ ଯାଜପୁର ଗସ୍ତ କରିଛନ୍ତି । ଜିଲ୍ଲାର ବରୁଆଁରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜିଲ୍ଲା ଭାଜପା ସଭାପତି ଗୌତମ ରାୟଙ୍କ ନେତୃତ୍ବରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବାବେଳେ, ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଛି । ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଓ ଏସପି ରାହୁଲ ପି ଆର ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା । ଏହା ପରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କୁ ସେ ଦର୍ଶନ କରିଥିଲେ । ସେଠାରୁ ଜିଲ୍ଲାପାଳ ଅଫିସରେ ଏକ ସରକାରୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଆସିଥିବା ବିଭିନ୍ନ ଯୋଜନାର କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ଯୋଗ ଦେଇଥିଲେ ।
ଆଜି ଓଡିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜନଜାତି କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏବଂ ଆସନ୍ତାକାଲି ଓଡିଶା ଆସି ପହଁଞ୍ଚିବେ କେନ୍ଦ୍ର ଯୁବ ବ୍ୟପାର ରାଷ୍ଟ୍ର ମନ୍ତ୍ରୀ ନିଶିତ ପରାମଣିକ ।
ଇଟିଭି ଭାରତ, ଭୁବନେଶ୍ବର