ଭୁବନେଶ୍ବର: ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ମୋଦି ସରକାର ପଦକ୍ଷେପ ନେଉଛନ୍ତି । ମୋଦି ସରକାର ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ହେଲେ ଭୋଟ ବ୍ୟାଙ୍କ ଲାଗି ବିଜେଡି ସରକାର ଜନଜାତିଙ୍କୁ ବ୍ୟବହାର କରୁଛି । ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିବା ପରେ ଜବାବ ରଖିଛି ଶାସକ ବିଜେଡି ।
ବିଜେଡିର ବରିଷ୍ଠ ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି , ଅଭିଯୋଗର ଜବାବ ଦେଲେ ବହୁତ ଲମ୍ବା ଜବାବ ରହିବ । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଛାତ୍ର ବୃତ୍ତି ଦେବାରେ ବି ଅବହେଳା କରୁଛନ୍ତି କେନ୍ଦ୍ର ସରକାର । ଯାହାକୁ ରାଜ୍ୟ ସରକାର ନିଜ ପାଣ୍ଠିରୁ ଖର୍ଚ୍ଚ କରୁଛନ୍ତି । ଏମିତି କି ଗୋଟିଏ ଆର୍ଥିକ ବର୍ଷରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ନିଜ ଦାୟିତ୍ବରେ ଏହା ସମ୍ଭାଳିଛନ୍ତି । କେବଳ କେନ୍ଦ୍ର ସରକାର ମଝିରେ ମଝିରେ ଆଦିବାସୀ ବର୍ଗରୁ ଜଣଙ୍କୁ ବିଭାଗୀୟ ମନ୍ତ୍ରୀ କରି ଦେଉଛନ୍ତି ।
ସେଥିରେ ତାଙ୍କର ଦାୟିତ୍ବ ସରି ଯାଉଛି । ଯଦି କେନ୍ଦ୍ର ସରକାର ଓଡିଶାର ବହୁଜନ ବିକାଶ ଚାହୁଁଥାନ୍ତେ, ତେବେ ଓଡିଶାର ବ୍ୟାପକ ଅଗ୍ରଗତିରେ ଏହି ବର୍ଗଙ୍କ ଲାଗି କାର୍ଯ୍ୟ କରନ୍ତେ ବୋଲି ଶିଶୀଭୂଷଣ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ