ଭୁବନେଶ୍ବର: ଦିଲ୍ଲୀ ଫେରିଲେ ବାତ୍ୟା 'ୟାସ' କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଟିମ । ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପରେ ଆଜି(ମଙ୍ଗଳବାର) ସନ୍ଧ୍ୟାରେ ଫେରି ଯାଇଛନ୍ତି କେନ୍ଦ୍ରୀୟ ଟିମ୍ । ଟିମର ଲିଡର ତଥା ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବଂଶଓ୍ୱାଲ ପ୍ରଥମେ ଦିଲ୍ଲୀ ଫେରିଛନ୍ତି । ଅନ୍ୟ ସଦସ୍ୟମାନେ ବିଳମ୍ବିତ ରାତ୍ରିରେ ଦିଲ୍ଲୀ ଫେରିବେ ବୋଲି ସୂଚନା ମିଳିଛି ।
ତିନିଦିନିଆ ଗସ୍ତରେ ଟିମ୍ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ 3 ଦିନିଆ ଗସ୍ତ ଶେଷ କରି ଫେରିଛି ଟିମ୍ । କେନ୍ଦ୍ରୀୟ ଟିମରେ 7 ଜଣ ସଦସ୍ୟଙ୍କ ମଧ୍ୟରୁ 4 ଜଣ ଓଡ଼ିଆ ଅଧିକାରୀ ଅଛନ୍ତି । ଦୁଇଟି ଦଳରେ ବିଭକ୍ତ ହୋଇ ଗତକାଲି(ସୋମବାର) ଓ ଆଜି(ମଙ୍ଗଳବାର) ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଅନୁଧ୍ୟାନ କରିବା ସହ ଏନେଇ କେନ୍ଦ୍ର ସରକାରଙ୍କୁ ଟିମ୍ ରିପୋର୍ଟ ଦେବ ।
ସେପଟେ 2 ଦିନର ଅନୁଧ୍ୟାନ ପରେ ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ କେନ୍ଦ୍ରୀୟ ଟିମ୍ ଭେଟିଛନ୍ତି । ଲୋକସେବା ଭବନରେ କେନ୍ଦ୍ରୀୟ-ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ