ଭୁବନେଶ୍ବର: ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ଦୃଷ୍ଟିରୁ ବେଡ଼, ଆଇସିୟୁ, ଭେଣ୍ଟିଲେଟର ଓ ଅକ୍ସିଜେନର ଆବଶ୍ୟକତାକୁ ନେଇ ବସିଥିବା ବୈଠକ ପରେ ଡିଏମଇଟି ସି.ବି.କେ. ମହାନ୍ତିଙ୍କ ପ୍ରତିକ୍ରିୟା। ସେ କହିଛନ୍ତି, କୋରୋନାର ଦ୍ବିତୀୟ ଲହରୀରେ ସଂକ୍ରମଣ ହାର ଅଧିକ । କିନ୍ତୁ ମୃତ୍ୟୁ ହାର କମ।କୋଭିଡ୍ ପାଇଁ ସାଧାରଣ ଓ ICU ଶଯ୍ୟା ବଢ଼ାଇବାକୁ ଉଦ୍ୟମ ହେଉଛି । ଏବେ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀ ମାତ୍ର 16 ପ୍ରତିଶତ । ଆବଶ୍ୟକତା ଅନୁସାରେ ଶଯ୍ୟା ବଢ଼ାଯିବ, ଅଭାବ ରହିବନି। ରାଜ୍ୟରେ 29 ଟି ସଂସ୍ଥା ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଣ କରୁଛନ୍ତି।
ବିଭିନ୍ନ ସ୍ଥାନକୁ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁସାରେ ବେଡ଼, ଆଇସିୟୁ ଓ ଲଜିଷ୍ଟିକ ବୃଦ୍ଧି କରାଯାଉଛି । ବର୍ତ୍ତମାନ ସୁଦ୍ଧା ପଶ୍ଚିମ ଓଡିଶାରେ କୌଣସି ସ୍ଥାନରେ ରୋଗୀ ତଳେ ଶୋଇବାର ନଜରକୁ ଆସିନାହିଁ । ତେବେ ଏବେ 30 ପ୍ରତିଶତ ବେଡ଼ରେ ରୋଗୀ ଅଛନ୍ତି । ଆହୁରି 70 ପ୍ରତିଶତ ବେଡ଼ ଖାଲି ଅଛି ।
ଆଇସିୟୁ ବେଡ଼ 60 ପ୍ରତିଶତ ବ୍ୟବହାର ହେଉଛି । ଆହୁରି ମଧ୍ୟ ଦ୍ରୃତ ଗତିରେ ବେଡ଼ ସଂଖ୍ୟା ବଢାଇବା ପାଇଁ ପଦକ୍ଷେପ ନିଆଯାଉଛି । ତେଣୁ ଆଶା ଅଛି କୌଣସି ସ୍ଥିତିରେ ବେଡ଼ ଓ ଆଇସିୟୁର ଅଭାବ ରହିବ ନାହିଁ ବୋଲି ସେ କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି, ଓଡିଶାରେ ଡାକ୍ତରଙ୍କର ଅଭାବ ନାହିଁ । ପୂର୍ବରୁ ଗବେଷକ ମାନେ ଯାହା ଆକଳନ କରିଥିଲେ ଏପ୍ରିଲ ମାସରେ ସଂକ୍ରମଣ ପିକକୁ ଯିବ । କିନ୍ତୁ ଏବେ ଯାହା ଆକଳନ ହୋଇଛି, ମେ ମାସରେ ପିକକୁ ଯିବ, ସେଥିପାଇଁ ଆହୁରି ସମୟ ବି ଲାଗିପାରେ । କାରଣ ଅନେକ ସମୟରେ ଦେଖାଯାଇଛି ଯେ, ଯେଉଁ ଗତିରେ ସଂକ୍ରମଣ ହାର ବଢେ, ସେହି ଅନୁସାରେ ହ୍ରାସ ପାଏ ।
ଏବେ ବି ଅନୁଧ୍ୟାନ ଚାଲିଛି, ସବୁ ସ୍ଥାନରେ ବେଡ଼ ଵୃଦ୍ଧି କରାଯିବ । ରବିବାର ବସିଥିବା ବୈଠକର ନିଷ୍ପତି ଅନୁସାରେ, ଆହୁରୀ ଆଇସିୟୁ ବେଡ଼ କିଣାଯିବ । ବୁର୍ଲାରେ ଏଚଡିୟୁ ଓ ଆଇସିୟୁକୁ ମିଶାଇ 125ଟି ବଢ଼ାଇବାକୁ ଯୋଜନା ହୋଇଛି । ଏସସିଵିରେ 50ଟି ଆଇସିୟୁ ବେଡ଼ ବଢ଼ାଯିବ ଏବଂ ବଲାଙ୍ଗୀରରେ 40ଟି ବଢ଼ାଯିବ । ରାଜ୍ୟରେ 29ଟି ସଂସ୍ଥା ଅକ୍ସିଜେନ ପ୍ରସ୍ତୁତ କରି ଯୋଗାଣ କରୁଛନ୍ତି ।
ଓଡିଶାରେ ଆବଶ୍ୟକତା ଅନୁସାରେ ସେମାନେ ପୂରଣ କରୁଛନ୍ତି । ଷ୍ଟିଲ ପ୍ଲାଣ୍ଟ, ପେଟ୍ରୋକେମିକାଲ ଶିଳ୍ପ ଭଳି ଶିଳ୍ପାନୁଷ୍ଠାନ ଗୁଡ଼ିକ ମଧ୍ୟ ଅକ୍ସିଜେନ ଯୋଗାଇ ପାରିବେ । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏକାକୀ 1700 ମେଟ୍ରିକ ଟନ ଅକ୍ସିଜେନ ଉତ୍ପାଦନ କରିବାକୁ ସକ୍ଷମ । ଏମିତି ଆହୁରି ଅନେକ ଷ୍ଟିଲ ପ୍ଲାଣ୍ଟ ଓ ପେଟ୍ରୋକେମିକାଲ ଶିଳ୍ପ ଅଛନ୍ତି । ତେଣୁ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନେଇ ଅକ୍ସିଜେନ ଆବଶ୍ୟକତାକୁ ପୂରଣ କରିପାରିବୁ । ସେଥିପାଇଁ କୌଣସି ପରିସ୍ଥିତିରେ ରାଜ୍ୟରେ ଅକ୍ସିଜେନ ଅଭାବ ହେବନାହିଁ ବୋଲି ଆଶା କରାଯାଉଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ