ଭୁବନେଶ୍ବର: ଲାଞ୍ଚ ଦେଇ ଟ୍ୟାକ୍ସ ଫାଙ୍କିବାକୁ ଉଦ୍ୟମ । 5 କୋଟିର ଟ୍ୟାକ୍ସ ଫାଙ୍କିବାକୁ ୧୦ ଲକ୍ଷ ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ । ଏଭଳି ଲାଞ୍ଚ ଦେଇ ଜିଏସଟି ଅଧିକାରିଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଜଟଣୀର ସେଞ୍ଚୁରିୟନ ଇନଷ୍ଟିଚ୍ୟୁଟ ନାଁରେ ମାମଲା ରୁଜୁ କରିଛି ସିବିଆଇ। ଅଭିଯୋଗ ଆଧାରରେ 5 ଜଣଙ୍କ ନାଁରେ ଏତଲା ଦାୟର କରିଛି ସିବିଆଇ। ସେମାନେ ହେଲେ ଜିଏସଟି ଅଡିଟ କମିସନରେଟର ଅଫିସର ଏ.ବି କର, ସେଞ୍ଚୁରିଆନ ଇନଷ୍ଟିଚ୍ୟୁଟ ସହ ଇନଷ୍ଟିଚ୍ୟୁଟର ଚିଫ୍ ଆକାଉଟାଣ୍ଟ ଆଶୁତୋଷ ପାଢି ଓ ଅନ୍ୟ ଦୁଇଜଣଙ୍କ ନାଁରେ ଏତଲାରେ ଦର୍ଶାଇଛି।

ଅପରାଧିକ ଷଡଯନ୍ତ୍ର ୧୨୦ ବି ଏବଂ ଦୁର୍ନୀତି ଓ ପ୍ରତିରୋଧ ଆକ୍ଟ ୭ଏ, ୮, ୯ରେ ମାମଲା ରୁଜୁ କରାଯାଇଛି । ତେବେ ସୂଚନା ଆଧାରରେ ଇନଷ୍ଟିଚ୍ୟୁଟର ୨୦୧୭ ମସିହାର ଅଡିଟ୍ ବେଳେ ଜିଏସଟି ଅଧିକାରୀ ଜାଣିବାକୁ ପାଇଥିଲେ ଯେ ୨୦୧୫ ରୁ ୨୦୧୮ ପର୍ଯ୍ୟନ୍ତ ଜିଏସଟି ଫାଇଲରେ ଭୁଲ ରହିଛି । ଏପରିକି ବର୍ଷକୁ ୫ କୋଟି ହିସାବରେ ପେନାଲ୍ଟି ଫାଇନ ଏଥିପାଇଁ ଇନଷ୍ଟିଚ୍ୟୁଟକୁ ଦେବାକୁ ପଡିବ କିନ୍ତୁ ୫ କୋଟିକୁ କମାଇବା ପାଇଁ ଜିଏସଟି ଅଧିକାରିଙ୍କୁ ଲାଞ୍ଚ ଦେବା ପାଇଁ ଡିଲ୍ କରି ଲାଞ୍ଚ କାରବାର କରୁଥିଲେ ।
ହୋଟେଲ ମାରିୟନରେ ଗତ ୨୯ ତାରିଖରେ ଲାଞ୍ଚ କାରବାର ବେଳେ ୩ ଜଣ ଜିଏସଟି ସୁପରିଟେଣ୍ଡଣ୍ଟ ସମେତ ଜଣେ ମିଡିଲମ୍ୟାନକୁ ଗିରଫ କରିଥିବା ସିବିଆଇ ତେବେ ଏଥିରୁ ସ୍ପଷ୍ଟ ଜଣାପଡିଛି କିଭଳି ଜିଏସଟି ଚେକ୍ସ ଫାଙ୍କିବାକୁ ଏଭଳି ଲାଞ୍ଚ କାରବାର ହେଉଛି। ତେବେ ଏନେଇ ଜିଏସଟି ଉପରିସ୍ଥ ଅଧିକାରୀ ଜାଣିଛନ୍ତି କି ନାହିଁ ଏବଂ ଏହାପରେ ଏଭଳି କାରବାର ରୋକିବାକୁ କ'ଣ ପଦକ୍ଷେପ ନେବେ କେନ୍ଦ୍ର ସରକାର ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ