ଭୁବନେଶ୍ବର: କୋରୋନା ସମ୍ପର୍କିତ ତଥ୍ୟ ଲୁଚାଇବା ଘଟଣାରେ ଏମସ ବିରୋଧରେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ ହୋଇଛି । ରାଜ୍ୟ ସରକାରଙ୍କ ସବୁ ନିର୍ଦ୍ଦେଶାବଳୀକୁ ଉଲ୍ଲଙ୍ଘନ କରି ଭୁବନେଶ୍ବର ଏମସର ସୁପରିଟେଣ୍ଡଣ୍ଟ କୌଣସି ସୂଚନା ନ ଦେଇ ନିଜ ପୁଅକୁ ସେଠାରେ ଲୁଚାଇ ଚିକିତ୍ସା କରାଉଥିଲେ । ଉକ୍ତ ମାମଲାର ଏବେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ପହଞ୍ଚିଛି ।
ଏମସ କର୍ତ୍ତୃପକ୍ଷ ଓ ଘଟଣାରେ ସମ୍ପୃକ୍ତ ଦୋଷୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ମାନବାଧିକାର କର୍ମୀ ଅଖଣ୍ଡ କମିଶନଙ୍କ ନିକଟରେ ଏକ ପିଟିସନ ଦାୟର କରିଛନ୍ତି । ସେ ଦର୍ଶାଇଛନ୍ତି କି, କୌଣସି ସୂଚନା ନ ଦେଇ ସମ୍ପୃକ୍ତ ଡାକ୍ତର ତାଙ୍କ ବିଦେଶୀ ଫେରନ୍ତା ପୁଅକୁ ତାଙ୍କ ପାଇଁ ଉଦ୍ଦିଷ୍ଟ ରୁମରେ ରଖି ଚିକିତ୍ସା କରାଇଥିଲେ । ସେ ଅଧିକ ଅସୁସ୍ଥ ହେବା ପରେ ପରୀକ୍ଷା ହେବାରୁ ଜଣାପଡିଲା ସେ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ଅନ୍ୟମାନେ ମଧ୍ୟ ଏହି ରୋଗର ଶିକାର ହେବାର ଆଶଙ୍କା ଦେଖାଦେଇଛି ।
ସେପଟେ ଏମସର ଏଭଳି ଅବହେଳା ପାଇଁ ଏବେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ବୋଲି ସେ ଅଭିଯୋଗ କରିଛନ୍ତି । ସେ ଏହି ମାମାଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ୍ ଡିଜି ଏମସ୍ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରିଛନ୍ତି । ସୂଚନାନୁଯାୟୀ, ଓଡ଼ିଶାରେ ଦ୍ଵିତୀୟ କୋରୋନା ଆକ୍ରାନ୍ତ ରହିଥିବା ଯୁବକ ଏମସରେ ଚିକିତ୍ସା ହେଉଛନ୍ତି । ଓଡ଼ିଶାରେ 2ଟି କୋରୋନା ପଜିଟିଭ୍ ବାହାରିବା ପରେ ସାରା ରାଜ୍ୟରେ ଭୟର ଆତଙ୍କ ଖେଳି ଯାଇଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ