ଭୁବନେଶ୍ବର: ବହୁ ପ୍ରତୀକ୍ଷା ଓ ଆନ୍ଦୋଳନର ଅନ୍ତ ଘଟିବ । ବରଗଡ ଜିଲ୍ଲାରେ ପ୍ରତିଷ୍ଠା ହେବ ଅତ୍ୟାଧୁନିକ କ୍ୟାନ୍ସର ହସ୍ପିଟାଲ । ଏହା ସହ ସାରା ରାଜ୍ୟରେ କ୍ୟାନ୍ସର ଚିକିତ୍ସା ଲାଗି ବ୍ୟବସ୍ଥା କରାଯିବ । ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ରାଜ୍ୟରେ କର୍କଟ ଚିକିତ୍ସା ସୁବିଧା ପାଇଁ ବ୍ୟବସ୍ଥା କରାଯାଉଛି । ବରଗଡରେ କର୍କଟ ଡାକ୍ତରଖାନା ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ । କର୍କଟ କେମୋ-ଥେରାପି କାର୍ଯ୍ୟକ୍ରମ ବ୍ୟତୀତ ରେଡିଓ ଥେରାପି ୟୁନିଟ୍ ଗୁଡ଼ିକର ଅପ-ଗ୍ରେଡେସନ୍ କରାଯିବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ନୂତନ ରେଡିଓ ଥେରାପି ୟୁନିଟ୍ ପ୍ରତିଷ୍ଠା ହେବ । ଉନ୍ନତ କର୍କଟ ଚିକିତ୍ସା ସୁବିଧା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ।
ରାଜ୍ୟରେ କ୍ୟାନ୍ସର ଚିକିତ୍ସା ସୁବିଧା ପାଇଁ ନାମୀଦାମୀ ବେସରକାରୀ ତଥା ଦାନକାରୀ ସଂସ୍ଥାକୁ ମଧ୍ୟ ନିମନ୍ତ୍ରଣ କରାଯାଉଛି । ନିକଟରେ ଭୁବନେଶ୍ୱରର ଅତ୍ୟାଧୁନିକ କର୍କଟ ଚିକିତ୍ସା ଏବଂ ପାଲିଏଟିଭ କେୟାର ସେଣ୍ଟର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏହି ସମସ୍ତ ସୁବିଧା କ୍ୟାନ୍ସର ନିରାକରଣ ଏବଂ ପୁନରୁଦ୍ଧାରରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ