ଭୁବନେଶ୍ବର: ଗ୍ରୀନ ଜୋନରେ ବସ ଗଡ଼ିବା ପ୍ରସଙ୍ଗରେ ପରିବହନ ବିଭାଗ ପଠାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି । ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଗ୍ରୀନ ଜୋନରେ ବୟ ଚାଲିବାକୁ ହେଲେ ଭଡ଼ାକୁ ଦୁଇଗୁଣିତ କରିବା ପାଇଁ ଦେଇଥିବା ପ୍ରସ୍ତାବକୁ ସରକାର ଅନୁମୋଦନ କରିଛନ୍ତି । ତେବେ ଖୁବ ଶୀଘ୍ର ବସସେବା ଆରମ୍ଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହ ବସରେ ଚଳପ୍ରଚଳ ବେଳେ କୋରୋନା ଗାଇଡ଼ଲାଇନ ମାନିବାକୁ ବାଧ୍ୟ । ସଙ୍ଗରୋଧ ଓ ସାମାଜିକ ଦୂରତା ମାନିବେ ଯାତ୍ରୀ । ପୂର୍ବରୁ ସରକାର 50 ପ୍ରତିଶତ ଯାତ୍ରୀ ନେଇ ଗ୍ରୀନ ଜୋନରେ ବସଚଳାଚଳ କରିବାକୁ ଅନୁମତି ଦେଇଥିଲେ ।
ଅନ୍ୟପକ୍ଷରେ ସରକାରୀ ଅଧିକାରୀଙ୍କ ଯିବା ଆସିବା ପାଇଁ ବସ ଚଳାଇବେ ରାଜ୍ୟ ସରକାର । ଆସନ୍ତା କାଲିଠାରୁ ଏହି ସେବା ଆରମ୍ଭ ହେବ । କଟକରୁ ଭୁବନେଶ୍ବରକୁ ଗୋଟିଏ ବସ ଚଳାଯିବ ଭଡା 30 ଟଙ୍କା ନିଆଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଆଜିଠୁ ଟ୍ରେନ ଚଳାଚଳ ପ୍ରସଙ୍ଗରେ ସନ୍ଧ୍ୟା ସୁଦ୍ଧା ନୂତନ ଗାଇଡଲାଇନ ପ୍ରସ୍ତୁତ ହେବ । ଯେଉଁମାନେ ଆସିବେ ସେମାନେ ଗାଇଡ଼ଲାଇନ ମାନିବାକୁ ବାଧ୍ୟ । ସଙ୍ଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି । ସେମାନେ ନିଜସ୍ବ ସୁବିଧାରେ ଯିବେ, ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଯଦି ସେମାନେ ପଞ୍ଜିକରଣ କରି ନଥିବେ ତେବେ ରାଜ୍ୟରେ ମଧ୍ୟ କରିପାରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ