ଭୁବନେଶ୍ବର: ରାଜ୍ୟରେ 12 ମାସ ହେବ ଦରମା ପାଇ ନାହାଁନ୍ତି ବିଏସଏନଏଲର 2700 ଠିକା କର୍ମଚାରୀ । ଦରମା ଦେବାକୁ କହିବାରୁ ସେମାନଙ୍କୁ ଚାକିରି ଛାଡି ଦେବାକୁ କହୁଛନ୍ତି ଉପରିସ୍ଥ ଅଧିକାରୀ । ଏପରି ଅଭିଯୋଗ କରି ଆଗାମୀ ଦିନରେ ଏମାନେ ଦରମା ନପାଇଲେ CGMT ଅଫିସ ସମ୍ମୁଖରେ ଧାରଣା ଦେବେ ବୋଲି ସିଟୁ(ସିଆଇଟିୟୁ) ପକ୍ଷରୁ କୁହାଯାଇଛି ।
ଭୁବନେଶ୍ବରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ ଆଣିବା ସହ କେନ୍ଦ୍ର ଟେଲିକମ୍ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ସେହିପରି ରାଜ୍ୟର ଠିକାକର୍ମଚାରୀଙ୍କ ଏପରି ଅସୁବିଧା ଥିବାରୁ ରାଜ୍ୟରୁ କେନ୍ଦ୍ରମନ୍ତ୍ରୀ ଥିବା ଧର୍ମେନ୍ଦ୍ର ପ୍ରଧାନ ଏଥିରେ ହସ୍ତକ୍ଷେପ କରିବାକୁ ସିଟୁ ରାଜ୍ୟ ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ।
ଅନ୍ୟପଟେ କୋରୋନା ସମୟରେ ରାଜ୍ୟ ତଥା ଦେଶରେ ଶ୍ରମିକଶ୍ରେଣୀର ଲୋକମାନେ ବହୁ ପରିମାଣରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଉଭୟ ସରକାର ସେମାନଙ୍କ ବିଭିନ୍ନ ଆର୍ଥିକ ପ୍ୟାକେଜ ଘୋଷଣା କରୁଥିବାବେଳେ ସେମାନଙ୍କ ପାଖରେ କୌଣସି ପ୍ରକାର ସହାୟତା ପହଞ୍ଚୁନାହିଁ । ରାଜ୍ୟରେ ପରିବହନ ଶ୍ରମିକଙ୍କ ଅବସ୍ଥା ମଧ୍ୟ ଠିକ ଏହିପରି । ଲକଡାଉନ ସମୟରେ ସେମାନେ ଘରେ ରହିବା ଫଳରେ ରୋଜଗାର ହରାଇଛନ୍ତି । ତେଣୁ ସେମାନଙ୍କୁ କ୍ଷତିପୂରଣ ବାବଦରେ ସରକାର ମାସିକ 7500 ଟଙ୍କା ପ୍ରଦାନ କରିବାକୁ ସିଟୁ ପକ୍ଷରୁ ଦାବି କରାଯାଇଛି ।
ଅନ୍ୟପଟେ ବର୍ତ୍ତମାନ ପରିବହନ କ୍ଷେତ୍ର କାର୍ଯ୍ୟକ୍ଷମ ହେଉଥିବାବେଳେ ସରକାର ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ବୀମା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ସିଟୁ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ