ଭୁବନେଶ୍ବର: ରାଜଧାନୀରେ ଯୁବତୀଙ୍କୁ ଅପହରଣ ଉଦ୍ୟମ । ପୁଣି ପ୍ରେମ ପ୍ରତାରଣାର ଆଉ ଏକ ସାଙ୍ଘାତିକ ଚିତ୍ର ନୟାପଲ୍ଲୀ ଅଞ୍ଚଳରୁ ସାମ୍ନାକୁ ଆସିଛି । ପ୍ରେମିକ, ଝିଅର ମାମୁଁକୁ ହାତ କରି ଅପହରଣ ଉଦ୍ୟମ କରୁଥିବା ସମୟରେ ପୋଲିସ ହାତରେ ଧରାପଡିଛି । ଏନେଇ ଅଭିଯୋଗକାରୀ ଯୁବତୀ ପୋଲିସକୁ ଫୋନ କରି ଜଣାଇବାରୁ ଘଟଣାସ୍ଥଳରୁ ଉଦ୍ଧାର କରିଛି ପୋଲିସ ।
ସୂଚନା ଅନୁଯାୟୀ, ନୟାପଲ୍ଲୀ ଥାନା ଅଧିନ ଏକ ମହିଳା ହଷ୍ଟେଲ ଆଗରେ ଘଟିଛି ଏହି ଘଟଣା । ପୋଲିସର କହିବା ଅନୁଯାୟୀ, 'ସମ୍ପୃକ୍ତ ଯୁବତୀ ଜଣକ ଅପହରଣ ଉଦ୍ୟମ କରୁଥିବା ଯୁବକଙ୍କୁ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ । କିନ୍ତୁ ଉଭୟଙ୍କ ମଧ୍ୟରେ ତିକ୍ତତା କାରଣରୁ ଯୁବତୀ ଜଣକ ନୟାପଲ୍ଲୀର ଏକ ହଷ୍ଟେଲରେ ରହି ପ୍ରତିଯୋଗୀ ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । କିନ୍ତୁ ଶୁକ୍ରବାର ଝିଅର ମାମୁଁଙ୍କ ସହ ମିଶି ଅଭିଯୁକ୍ତ ପ୍ରେମିକ ଅପହରଣ ନେଇ ସମ୍ପୃକ୍ତ ଯୁବତୀ ଥାନାକୁ କଲ୍ କରି ଜଣାଇଥିଲେ । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମୁଁ ଏବଂ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଯୁବତୀଙ୍କୁ ଉଦ୍ଧାର କରିଛି ।'
ଅନ୍ୟପଟେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୋଲିସ ଉଭୟଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହ ସମ୍ପୃକ୍ତ ଯୁବକଙ୍କୁ ଖୋଜାଖୋଜି କରୁଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ