ଭୁବନେଶ୍ବର: ଆପଣ କୋଭିଡ୍ କଟକଣା ଉଲ୍ଲଙ୍ଘନ କରୁଛନ୍ତି କି ? ଯଦି କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ । କୋଭିଡ ନିୟମ ଭାଙ୍ଗିବା ଆପଣଙ୍କୁ ପଡିପାରେ ମହଙ୍ଗା । ଫାଇନ ସହିତ ଆପଣଙ୍କ ବିରୋଧ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଏମିତି କି ଆପଣଙ୍କ ଅନୁଷ୍ଠାନକୁ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ସିଲ । ଶିକ୍ଷାନୁଷ୍ଠାନ ହେଉ ଅବା ସ୍ବାସ୍ଥ୍ୟ ଅନୁଷ୍ଠାନ । ସମସ୍ତଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏ ନେଇ ରାଜ୍ୟ ସରକାର ଓ ଭୁବନେଶ୍ବର ମହାନଗର ନିଗମ କମିଶନର ଦେଇଛନ୍ତି ନିର୍ଦ୍ଦେଶ ।
ଏନେଇ ସହରର ବିଭିନ୍ନ ଗଳିକନ୍ଦିରେ ବୁଲୁଛି ବିଏମସିର ଟିମ । ନିୟମ ଉଲ୍ଲଂଘନ କରୁଥିଲେ ଆକ୍ସନ ଅନ ଦ ସ୍ପଟ । ଆଜି ସେମିତି କିଛି ଦେଖିବାକୁ ମିଳିଛି ୟୁନିଟ-3 ଅଞ୍ଚଳରେ । କୋଭିଡ କଟକଣାକୁ ଫୁ କରୁଥିବା ଅନୁଷ୍ଠାନକୁ ସିଲ କରିଛି ବିଏମସି । କୋଭିଡ କଟକଣାକୁ ଉଲଂଘନ କରି ଅଫଲାଇନ ପରୀକ୍ଷା କରୁଥିଲା ୟୁନିଟ୍-୩ ସ୍ଥିତ ଭାରତୀୟ ବିଦ୍ୟାଭବନ । ଜୋନାଲ ଡେପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ୱରେ ଅନୁଷ୍ଠାନ ଉପରେ ରେଡ଼ କରିଥିଲା ବିଏମସି ଓ ବିଡିଏର ଏନ୍ଫୋର୍ସମେଣ୍ଟ ଟିମ । କୋଭିଡ ନିୟମ ଉଲଂଘନ ଦର୍ଶାଇ ଅନୁଷ୍ଠାନକୁ ସିଲ କରିଛି ବିଏମସି । ଏହା ସହ ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ବିଏମସି ।
![ଅମାନିଆ ସାବଧାନ ! ନିୟମ ନମାନିଲେ ପଡିବ BMC ଛାଟ](https://etvbharatimages.akamaized.net/etvbharat/prod-images/od-bbsr-06-bmc-action-7209787_20042021150546_2004f_1618911346_1019.jpg)
![ଅମାନିଆ ସାବଧାନ ! ନିୟମ ନମାନିଲେ ପଡିବ BMC ଛାଟ](https://etvbharatimages.akamaized.net/etvbharat/prod-images/od-bbsr-06-bmc-action-7209787_20042021150546_2004f_1618911346_214.jpg)
କୋଭିଡ କଟକଣା ଭଙ୍ଗ ପାଇଁ ଆଦିତ୍ୟ ଏକାଡେମୀ ବି ସିଲ୍ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବଢୁଛି ସଂକ୍ରମଣ । ପ୍ରତ୍ୟେକ ଦିନ ଚିହ୍ନଟ ହେଉଛନ୍ତି 5 ଶହରୁ ଅଧିକ ସଂକ୍ରମିତ । ଏହା ସହିତ ରାଜ୍ୟ ବାହାରୁ ଓ ରାଜ୍ୟର ଅନ୍ୟ ଜିଲ୍ଲାରୁ ଆସୁଥିବା ଲୋକ ଚିନ୍ତା ବଢାଇଛନ୍ତି । ଫଳରେ ସହରର ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ନେଉଛି ବିଏମସି । ବିଶେଷ କରି କୋଭିଡ କଟକଣାକୁ କଡାକଡି କରିଛି ବିଏମସି । କୋଭିଡ ନିୟମକୁ ପାଳନ କରିବାକୁ ସହରବାସୀଙ୍କୁ ଦିଆଯାଉଛି ପରାମର୍ଶ ।
ସମ୍ପର୍କ ଅଭିଯାନ ଜରିଆରେ ସହରବାସୀଙ୍କ ସହ ମିଶୁଛି ବିଏମସି । ଲୋକଙ୍କୁ ସଚେତନ କରିବା ସହ ସତର୍କ ରହିବାକୁ ଦିଆଯାଉଛି ପରାମର୍ଶ । ହେଲେ କିଛି ଲୋକ ଅମାନିଆ ହେଉଛନ୍ତି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ବିଏମସି । ଆପଣ ବି ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନେବ ବିଏମସି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ