ଭୁବନେଶ୍ବର: ଏଣିକି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର(ଏମସିସି) ନିର୍ମାଣକୁ ବିରୋଧ କରୁଥିବା ଅଞ୍ଚଳରୁ ଅଳିଆ ନେବନି ବିଏମସି । ରାଜଧାନୀର ବିଭିନ୍ନ ସ୍ଥାନରେ ଏମସିସି ନିର୍ମାଣକୁ ବିରୋଧ କରାଯାଉଛି । ଫଳରେ ବାଧ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛି ବିଏମସି ।
ବିଏମସି କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ, ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସହରରୁ ବାହାରୁଥିବା କଠିନ ବର୍ଜବସ୍ତୁକୁ ସୁଚାରୁ ରୂପେ ପରିଚାଳନା କରି ସେଥିରୁ କମ୍ପୋଷ୍ଟ ତିଆରି କରିବା ଲକ୍ଷ୍ୟରେ ବିଏମସି ପକ୍ଷରୁ ୬୭ଟି ୱାର୍ଡର ୪୩ଟି ସ୍ଥାନରେ ଏମସିସି ନିର୍ମାଣ କରାଯାଉଛି । ସେଥିମଧ୍ୟରୁ ୧୦ଟି ସ୍ଥାନରେ ଏମସିସି କାର୍ଯ୍ୟ ଆରମ୍ଭ ହୋଇସାରିଛି ।
ତେବେ ଏହି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଦ୍ବାରା ସାଧାରଣ ଲୋକେ ଉପକୃତ ହେବା ସହ ଏହି ଉତ୍ସରୁ ପୃଥକୀକରଣର ଅଭ୍ୟାସ ହେବ । ମାତ୍ର କିଛି ସ୍ଥାନରେ ସ୍ଥାନୀୟବାସୀ ଏହାର ନିର୍ମାଣକୁ ବିରୋଧ କରିବାରୁ ବିଏମସି ଏଭଳି କଡା ଆଭିମୁଖ୍ୟ ଗ୍ରହଣ କରିଛି । ସୂଚନାଯୋଗ୍ୟ, ଜାନୁଆରୀ ୨୦୨୦ ସୁଦ୍ଧା ଏମସିସିକୁ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ରଖିଛି ବିଏମସି । ଏ ଦିଗରେ ଜନସାଧାରଣଙ୍କ ସହାୟତା ମିଳିଲେ ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆଗେଇବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ