ଭୁବନେଶ୍ବର: ଠିକାଦାରଙ୍କୁ ସ୍ବଚ୍ଛତାର ପାଠ ପଢାଇଲା ବିଏମସି । ଭୁବନେଶ୍ବରର ବିକାଶକୁ ଆଧାର କରି ଠିକାଦାରଙ୍କୁ ବିଏମସି-ଠିକାଦାର ବୈଠକରେ ସ୍ବଚ୍ଛତାର ମନ୍ତ୍ର ଦେଇଛି ଭୁବନେଶ୍ବର ମହାନଗର ନିଗମ ।
ବୁଧବାର, ଭୁବନେଶ୍ବରରେ ବିବିଧ ବିକାଶମୂଳକ କାର୍ଯ୍ୟରେ ଜଡିତ ଥିବା ପ୍ରାୟ 50 ଜଣ ଠିକାଦାରଙ୍କୁ ନେଇ ବିଏମସି ଏକ ବୈଠକ କରିଛି। ଏହି ବୈଠକରେ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇଛି ବିଏମସି । ଏହାସହ ଶୃଙ୍ଖଳା ରକ୍ଷାକୁ ମଧ୍ୟ ଗୁରୁତ୍ବ ଦିଆଯାଇଛି ।
ସେହିପରି କାମକୁ କୌଣସି ବି ଠିକାଦାର ବିଳମ୍ବ ନକରିବାକୁ ବିଏମସି ପକ୍ଷରୁ ଅନୁରୋଧ କରାଯାଇଛି । ଏହାସହ ସମ୍ପୃକ୍ତ ଇଞ୍ଜିନିୟର ଏବଂ ଅଧିକାରୀ ଏ ଦିଗରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ନିର୍ମାଣଗତ କାର୍ଯ୍ୟର ସମାପନ ପରେ ସେଠାରେ ବଳକା ଗୋଡି, ବାଲି, ପଥର ଇତ୍ୟାଦି ଛାଡି ଆସିବା ଓ ଏହାକୁ ଅସୁନ୍ଦର କରିବା ତଥା ବିଲ ପାସ ପରେ ସେଠାକୁ ନଯିବା ଏବଂ ଏହାକୁ ପ୍ରୋତ୍ସାହନ ଦେବା ଏକ ଅପରାଧ ବୋଲି ଏହି ବୈଠକରେ କୁହାଯାଇଛି ।
ଏହାସହ ବିଏମସିର ଇଞ୍ଜିନିୟରିଂ ବିଭାଗରେ ପ୍ରଚଳିତ ସମୀକ୍ଷାରୁ ଊର୍ଦ୍ଧ୍ବକୁ ଯାଇ ଏକ ଡ୍ୟାଶ ବୋର୍ଡ ମାଧ୍ୟମରେ ପ୍ରତ୍ୟେକଟି କାର୍ଯ୍ୟର ନିୟମିତ ଓ ତୁରନ୍ତ ସମୀକ୍ଷା, ଦାୟିତ୍ବରେ ଥିବା ଅଧିକାରୀ ଏବଂ ଠିକାଦାରଙ୍କ ସମୀକ୍ଷା ଏବଂ ଆବଶ୍ୟକୀୟ ନିର୍ଦ୍ଦେଶନାମା ଦିଆଯିବାକୁ କଡାକଡି କରାଯିବ ବୋଲି ମଧ୍ୟ କୁହାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ